Unknown

 

 

 

 

 

 

 

 

 

ବାଲିଘର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

କୁନି ଠାକୁର

ଜି.ବି. କୃଷ୍ଣା

 

କହରେ କୁନି ଠାକୁର ମୋର,

 

 

 

ତୋ ପରି କିଏ ହେବ;

ଦୁନିଆ ସାରା ଏତେ ଦରବ,

 

 

 

 

କିଏ ସେ ଖଞ୍ଜି ଦେବ....

କହ କିଏ ସେ ଖଞ୍ଜି ଦେବ ?

 

 

ବାପା ମାଆଙ୍କ ମିଠା ମମତା ଭାଇଭଉଣୀ ମେଳ

ଗୁରୁଜନଙ୍କ ସ୍ନେହ ଆଦର ସାଙ୍ଗ ସାଥୀଙ୍କ ଖେଳ

ଟିକି ଚଢ଼େଇ ଡେଣା ମେଲେଇ

 

ଆକାଶେ ଉଡ଼ୁଥିବ...... । (୧)

 

ଦୁନିଆ ସାରା ଏତେ ଦରବ କିଏ ଖଞ୍ଜିଦେବ?

ସାରା ସଂସାର ବଗିଚା ଏକ ଆମେ ତା' ଟିକି ଫୁଲ

ଏମିତି ଜଣେ ଶିଳ୍ପୀକୁ କିଏ ଦେଇପାରିବ ମୂଲ

ଫୁଲରେ ବସି ପରଜାପତି

 

ସେ ଗୀତ ଗାଉଥିବ...... । (୨)

 

ଦୁନିଆ ସାରା ଏତେ ଦରବ କିଏ ସେ ଖଞ୍ଜିଦେବ ।

କହରେ କୁନି ଠାକୁର ମୋର ତୋ ପରି କିଏ ହେବ?

 

ବଡ଼ବଜାର,

ଜଗତସିଂହପୁର

Image

 

ମା’

ଶଶିଶେଖର ମହାପାତ୍ର

 

ଦିଅ ମୋତେ ଦିବ୍ୟଜ୍ଞାନ ପ୍ରଭୁ

ନିଜକୁ ଚିହ୍ନିବି ଜଗତ ସେବିବି

ରହୁ ମୋର ଏକ ଧ୍ୟାନ ପ୍ରଭୁ (୧)

ଲୋଡ଼ା ନାହିଁ ମୋର ପାର୍ଥିବ ସମ୍ପଦ

ମୁହିଁ ଦୀନ ଅକିଞ୍ଚନ

ପାରୁନାହିଁ ତରି ସଂସାର ସାରଣୀ

କର ପଥ.ପ୍ରଦର୍ଶନ ପ୍ରଭୁ (୨)

ଜୀବନ ଅଳୀକ ସମ୍ପର୍କ ଯେ ମିଛ

ସତ ଏକା ତୁମ ନାମ

ଦୂରେ ରଖ ମୋତେ ଲୋଭମୋହଠାରୁ

କହି ପାଦେ ସମର୍ପଣ ପ୍ରଭୁ (୩)

 

ଆଇ.ଆଇ.ସି.,

ଏରସମା ଥାନା

Image

 

ଫଗୁଣ ଆସିଲା

ଦିଗମ୍ୱର ରାଉତ

 

ଫଗୁଣ ଆସିଲା ଆମ୍ୱ ବଉଳିଲା

 

ପିକ ଡାକେ କୁହୁ କୁହୁ

କାଲୁଆ ପବନ ଥୁରୁ ଥୁରୁ ଶୀତ

 

ଚାଲିଗଲା ଚାହୁଁ ଚାହୁଁ । (୧)

 

ତରୁଲତାଗଣ ପଲ୍ଲବୀତ ହେଲେ

 

ବହେ ଦକ୍ଷିଣା ପବନ

ଅନ୍ତରେ ଅନ୍ତରେ ପୁଲକ ଜାଗିଲା

 

ହରଷିତ ମନପ୍ରାଣ । (୨)

 

କୃଷ୍ଣଚୂଡ଼ା ଆଉ ପଳାଶ ବନରେ

 

ସତେକି ଲାଗିଲା ନିଆଁ

ରଙ୍ଗାୟିତ ହେଲା ବନ ଉପବନ

 

ଲାଗିଲା ସତେ କିମିଆ । (୩)

 

ପିଚ୍‍କାରୀ ଧରି ରଙ୍ଗେ ମରାମରି

 

ହୁଅନ୍ତି ବାଳକଗଣ

ହସ କଉତୁକେ ଫାଟି ପଡ଼ୁଅଛି

 

ସତେକି ଧରା ଅଙ୍ଗନ । (୪)

 

ରାଧାମାଧବଙ୍କ ଯୁଗଳ ମୂରତି

 

ବିମାନେ ପାଉଛି ଶୋଭା

ଖସିପଡ଼ୁଅଛି ଶ୍ରୀଅଙ୍ଗରୁ ଫୁଲ

 

ଆହା କେଡ଼େ ମନଲୋଭା । (୫)

 

ଠାବେ ଠାବେ ଦୋଳ ମେଲଣ ହୁଅଇ

 

ହୁଅଇ ଯାନିଯାତରା

ମେଳାମଉଚ୍ଛବେ ଉଚ୍ଛୁଳି ଉଠଇ

 

ସସାଗର ବସୁନ୍ଧରା । (୬)

 

ମଧୁମାସ ଶେଷେ ଆସଇ ଜଗତେ

 

ଦାରୁଣ ନିଦାଘ କାଳ

ସୁଖ ଦୁଃଖ ସଦା ବିଧାତା ଭିଆଣ

 

କିଏ ତା' କରିବ ଆନ? (୭)

 

ମଧୁମୟ ସୃଷ୍ଟି ଯାହାଙ୍କ ଇଙ୍ଗୀତେ

 

ହୁଅଇ ସଦା ଚାଳିତ

 

 

ସେ ମହିମାମୟ ବିଶ୍ୱ କାରିଗର

 

ପଦେ କରେ ମଥାନତ । (୮)

Image

 

ସ୍ୱାଧୀନତା ସଂଗ୍ରାମୀ ସହିଦ ସୁଶୀଲ ସେନ୍‍

ଡଃ ବିଜୟଲକ୍ଷ୍ମୀ ଦାଶ

 

ସ୍ୱାଧୀନତା ସଂଗ୍ରାମ ସମୟର କଥା । ଇଂରେଜ ସରକାର ବିରୁଦ୍ଧରେ କଲିକତାରୁ ‘‘ବନ୍ଦେ ମାତରମ୍‍’’ ଶୀର୍ଷକ ପତ୍ରିକାଟିଏ ବାହାରୁଥାଏ । ଏଥିରେ ଶ୍ରୀଅରବିନ୍ଦଙ୍କ ସମେତ ଅନ୍ୟ କେତେକ ଲେଖକଙ୍କର ଲେଖାସବୁ ଛଦ୍ମନାମରେ ପ୍ରକାଶିତ ହେଉଥାଏ । ଏହି ଲେଖାସବୁ ପଢ଼ି ଇଂରେଜ ଶାସନ ବିରୁଦ୍ଧରେ ଲୋକମାନେ ତାତି ଉଠୁଥାନ୍ତି ।

 

ବନ୍ଦେ ମାତରମ୍‍ ପତ୍ରିକାର ସମ୍ପାଦନାପାଇଁ ପ୍ରଖ୍ୟାତ ଦେଶସେବୀ ବିପିନ୍‍ ଚନ୍ଦ୍ର ପାଲ୍‍ଙ୍କୁ ଗିରଫ କରାଯାଇଥାଏ ଓ କଲିକତାର ଚିଫ୍‍ ପ୍ରେସିଡେନ୍‍ସିଆଲ କୋର୍ଟରେ ତାଙ୍କର ବିଚାର ହେଉଥାଏ । ଉକ୍ତ ପତ୍ରିକାରେ ଛପାଯାଇଥିବା ଲେଖାଗୁଡ଼ିକ କିଏ ଲେଖିଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରାଗଲାବେଳେ ସେ ଉତ୍ତର ଦେଲେ, ‘‘ବିଦେଶୀ ଶାସକର କୋର୍ଟକୁ ମୁଁ ମାନେ ନାହିଁ । ତେଣୁ ମୁଁ ଏହାର କୌଣସି ଜବାବ ଦେବି ନାହିଁ ।’’

 

ସେଦିନ କୋର୍ଟର ସେହି ରାୟ ଶୁଣିବାପାଇଁ ବାହାରେ ଲୋକମାନଙ୍କର ପ୍ରବଳ ଭିଡ଼ ଜମିଥାଏ । ସମସ୍ତଙ୍କ ମୁହଁରେ ଗୋଟିଏ ଧ୍ୱନି- ‘‘ବନ୍ଦେ ମାତରମ୍‍’’ । ପୋଲିସ ଏହି ଲୋକମାନଙ୍କୁ ସମ୍ଭାଳି ପାରୁନଥାନ୍ତି । ଏତିକିବେଳେ ଭିଡ଼ ଠେଲି ପିଲାଟିଏ ଭିତରକୁ ପଶିଆସିଲା । ପୋଲିସ ତାକୁ ଧରିପକାଇଲା । ପିଲାଟି ରାଗରେ ହାତ ଉଠାଇଲା ମାରିବାପାଇଁ । ତତ୍କାଳୀନ ପୋଲିସକୁ ହାତ ଉଠାଇବା ମାନେ ଇଂରେଜ ସରକାରକୁ ଅବମାନନା କରିବା । ଏହି ଅପରାଧରେ ପିଲାଟିକୁ ସେତେବେଳର ମାଜିଷ୍ଟ୍ରେଟ୍‍ କିଙ୍ଗସ୍‍ ଫୋର୍ଡ଼ଙ୍କ ଆଗରେ ହାଜର କରାଗଲା । ଜେଲ ଖଟିବାର ବୟସ ହୋଇ ନ ଥିବାରୁ ପିଲାଟିପାଇଁ ପନ୍ଦର ପାହାର ବେତ ମାଡ଼ର ଦଣ୍ଡାଦେଶ ମିଳିଲା । ବିଚାରପତି କିଙ୍ଗସ୍‍ ଫୋର୍ଡ଼ଙ୍କ ଆଖି ଆଗରେ ଦଣ୍ଡ ଦିଆଗଲା । ପାହାର ଉପରେ ପାହାର ଖାଇ ପିଲାଟିର ପିଠି ଫାଟି ଧାର ଧାର ରକ୍ତ ବହିଗଲା । ମାତ୍ର ସେ ସବୁ ନୀରବରେ ସହିଗଲା । ଟିକିଏ ବି କାନ୍ଦିଲା ନାହିଁ ।

 

ସେଇ ପିଲାଟିର ନାଁ ହେଉଛି- ସୁଶୀଲ ସେନ୍‍ । ନେସନାଲ ସ୍କୁଲର ଜଣେ ଛାତ୍ର । ସେ ଦିନର ସେଇ ବେତମାଡ଼ ପରେ କୋର୍ଟରୁ ବାହାରି ଆସି ସୁଶୀଲ ଦେଖିଲେ, ହଜାର ହଜାର ଲୋକ ତା’ଆଡ଼କୁ ମାଡ଼ି ଆସୁଛନ୍ତି । ସେମାନେ ତାକୁ ଟେକି ନେଇ ତା’ ବେକରେ ଫୁଲମାଳ ସବୁ ପିନ୍ଧାଇ ଦେଲେ ତାକୁ ଅଭ୍ୟର୍ଥନା କରି ଜୟ ଜୟକାର କଲେ । ତାକୁ ଘୋଡ଼ା ଗାଡ଼ିରେ ବସାଇ ସହରସାରା ବୁଲାଇଲେ ଏବଂ ତା’ପାଇଁ ଗୋଟିଏ ସମ୍ୱର୍ଦ୍ଧନା ସଭାର ଆୟୋଜନ ହେଲା । ସୁଶୀଲ ଆଶ୍ଚର୍ଯ୍ୟ ହୋଇଗଲା । ଦେଶପାଇଁ କାମ କଲେ ଏତେ ଶ୍ରଦ୍ଧା ଏମିତି ସମ୍ମାନ ମିଳେ ! ସେ ସେଇଦିନ ହିଁ ମନେ ମନେ ଠିକ୍‍ କରିନେଲା- ସାରାଜୀବନ ଦେଶପାଇଁ କାମ କରିବ ।

 

କ୍ରମେ ଛୋଟ ପିଲାରୁ ସୁଶୀଲ ବଡ଼ ହେଲେ । ଦେଶ ମାତୃକାକୁ ସ୍ୱାଧୀନ କରିବାପାଇଁ ସେ ‘‘ଅନୁଶୀଳନ’’ ନାମକ ସମିତିର ସଭ୍ୟ ହେଲେ । ଶ୍ରୀଅରବିନ୍ଦଙ୍କ ଭାଇ ବାରୀନ୍‍ ଏହି ସମିତିର ମୁଖ୍ୟ ଥିଲେ ଏବଂ ବିପ୍ଳବ କରି ଭାରତମାତାକୁ ସ୍ୱାଧୀନ କରିବାପାଇଁ ସେମାନେ ସମସ୍ତେ ଶପଥ କରିଥିଲେ ।

 

ଏଇ ବିପ୍ଳବୀମାନଙ୍କର ଲକ୍ଷ୍ୟ ଥିଲା ମହତ । ଦେଶ ମାଆ ହାତରୁ ବନ୍ଧନ ଖୋଲିଦେବାପାଇଁ ସେମାନେ ପ୍ରତିଜ୍ଞାବଦ୍ଧ ଥିଲେ । ସେଇ ଲକ୍ଷ୍ୟ ହାସଲପାଇଁ ସେମାନେ ଅବାଟକୁ ବାଟ ବୋଲି ଭାବୁଥିଲେ । ଏମାନଙ୍କର ଅନେକ ସମୟରେ ବନ୍ଧୁକ, ଗୋଳାବାରୁଦ ଆଦି କିଣିବାପାଇଁ ଟଙ୍କା ଦରକାର ହେଉଥିଲା । ତେଣୁ ଯେଉଁ ଲୋକମାନେ ଅନ୍ୟାୟରେ ଟଙ୍କା କମେଇଛନ୍ତି, ସେମାନଙ୍କ ଘରୁ ବିପ୍ଳବୀମାନେ ଡକାୟତି କରୁଥିଲେ ଏବଂ ତାହାକୁ ଦେଶ କାମରେ ଲଗାଉଥିଲେ ।

 

ଏହି ପରିପ୍ରେକ୍ଷୀରେ ୧୯୧୭ ମସିହା ଏପ୍ରିଲ ମାସ ୨୮ ତାରିଖ ଦିନ ଗୋଟିଏ ସ୍ଥାନକୁ ଡକାୟତି କରିବାକୁ ଯାଇଥିଲେ ସୁଶୀଲ । ଟଙ୍କା ପଇସା ଓ ଅସ୍ତ୍ରଶସ୍ତ୍ର ଧରି କେତେକ ସାଥିଙ୍କ ସହ ଫେରୁଥିଲେ । ହଠାତ୍‍ ପଛପାଖରୁ ପୋଲିସଙ୍କ ଗୁଳିମାଡ଼ରେ ସୁଶୀଲ ଆହତ ହେଲେ-। ସେଇ ମୁହୂର୍ତ୍ତରେ ତାଙ୍କ ଦଳଟି ଧରାପଡ଼ିଯିବା ଆଶଙ୍କାରେ ସେମାନେ ପ୍ରମାଦ ଗଣିଲେ-। ପୋଲିସଙ୍କ ହାତରେ ଧରାପଡ଼ିଲେ ଦଳର ସବୁ ଖବର ସେମାନେ ଜାଣିଯିବେ । ନାନା ଯନ୍ତ୍ରଣା ଦେବେ । ସେମାନଙ୍କର ସମସ୍ତ ଯୋଜନା ଭଣ୍ଡୁର ହୋଇଯିବ ।

 

ଆହତ ସୁଶୀଲ ସଙ୍ଗେ ସଙ୍ଗେ ଏକ ନିଷ୍ପତ୍ତି ନେଲେ, ସେ ମରିବେ, ମାତ୍ର ଦଳକୁ ଧରା ପକାଇବେ ନାହିଁ । ସେ ତ ଦିନେ ନା ଦିନେ ମରିଥାନ୍ତେ । ଆଜି ମରିଗଲେ ଦଳର କିଛି କ୍ଷତି ହେବ ନାହିଁ । ଆହୁରି ଅନେକ ଯୁବକ କାମ କରିବାକୁ ଆଗେଇ ଆସିବେ । ଦଳ ରହିଲେ ଭାରତମାତା ମୁକ୍ତ ହେବ । ଦେଶ ସ୍ୱାଧୀନ ହେବ । କୋଟି କୋଟି ଭାରତବାସୀ ସ୍ୱାଧୀନତାର ସ୍ୱାଦ ଚାଖିବେ ।

 

ସୁଶୀଲ ଏକ ବିଚିତ୍ର ଆଦେଶ ଦେଲେ । ମୋ ମୁଣ୍ଡକୁ କାଟି ଦିଅ । କଟା ମୁଣ୍ଡକୁ ଧରି ଯେତେଶୀଘ୍ର ପାର ଚାଲିଯାଅ । ମୁଣ୍ଡ ଚାଲିଗଲେ ଗଣ୍ଡିଟାକୁ କେହି ଚିହ୍ନିପାରିବେ ନାହିଁ । ସାଥୀମାନେ ବୋକାଙ୍କ ପରି ଚାହିଁ ରହିଲେ; ଏପରି ଆଦେଶକୁ କାର୍ଯ୍ୟକାରୀ କରିବାପାଇଁ ସେମାନଙ୍କ ହାତ ଗଲା ନାହିଁ ।

 

ଦଳପତି ସୁଶୀଲ ପୁଣିଥରେ ସେମାନଙ୍କୁ ମନେପକାଇ ଦେଲେ । ଜୀବନ ଥିବାଯାଏ ସେମାନେ ଦଳପତିଙ୍କ ଆଦେଶ ମାନିବାପାଇଁ ଶପଥ କରିଛନ୍ତି । ଅନୁରୋଧ କଲେ କାମ ଶୀଘ୍ର ଶେଷ କରି ଫେରିଯାଅ । ଆଉ ସମୟ ନାହିଁ । ଶେଷରେ ଦଳପତିଙ୍କ ଆଦେଶ କାର୍ଯ୍ୟକାରୀ ହେଲା-। ସାଥିମାନେ ସୁଶୀଲଙ୍କୁ ହତ୍ୟା କଲେ । ତାଙ୍କ ମୁଣ୍ଡ ନେଇ ପଳାଇଗଲେ । ପୁଲିସ ସେମାନଙ୍କ ପତ୍ତା ପାଇଲା ନାହିଁ । ଦଳ ରକ୍ଷା ପାଇଲା ।

 

ସୁଶୀଲଙ୍କ ପରି ହଜାର ହଜାର ଦେଶପ୍ରେମୀଙ୍କର ନିଃସ୍ୱାର୍ଥପର ବଳିଦାନ ବ୍ୟର୍ଥ ହେଲା ନାହିଁ । ଏହାର ଫଳସ୍ୱରୂପ ଇଂରେଜ ସରକାରଙ୍କର ମେରୁଦଣ୍ଡ ଦୋହଲି ଗଲା । ଦେଶ ସ୍ୱାଧୀନ ହେଲା । ମାତ୍ର ଭାରତବାସୀଙ୍କ ହୃଦୟରେ ଚିରଦିନପାଇଁ ଲେଖି ହୋଇଗଲା ସୁଶୀଲ ପରି ଦେଶପ୍ରେମୀମାନଙ୍କ ସାହସିକ କାର୍ଯ୍ୟ, ମହନୀୟ ତ୍ୟାଗ ଓ ଦେଶସେବା । ସହିଦ ସୁଶୀଲ ସେନ୍‍ ଚିରଦିନପାଇଁ ଅମର ହୋଇ ରହିଗଲେ ।

 

ବଡ଼ବଜାର,

ଜଗତସିଂହପୁର

Image

 

କଟ୍‍-କଟ୍‍-କଟ ହୁଅଇ ଖଟ

ଡଃ ବିଷ୍ଣୁ ଚରଣ ସ୍ୱାଇଁ

 

କଟ୍‍-କଟ୍‍-କଟ୍‍ ହୁଅଇ ଖଟ

ପାଠପଢ଼ି ହେବା ବଢ଼ିଆ ଚାଟ,

ବିଲେଇ ଦେଖୁଛି ମୂଷାଙ୍କ ନାଟ

ସକାଳୁ ସକାଳୁ ସଅଳ ଉଠ ।

ଗୁରୁ-ଗୁରୁଜନ କଥା ମାନୁଥିଲେ

ଖୋଲିଯିବ ଆମ ଅସଲ ବାଟ ।୧।

 

ଚକ୍‍-ଚକ୍‍-ଚକ୍‍ ମାରେ ବିଜୁଳି

ଗଛରେ ଝୁଲୁଛି କେତେ ପିଜୁଳି

ମାଙ୍କଡ଼ ଖାଆନ୍ତି ହୋଇଣ ମେଳି

ସାଙ୍ଗ ସାଥୀ ସଙ୍ଗେ ନ କର କଳି,

ମିଳିମିଶି ଆମେ କାମ କରୁଥିଲେ

ବିପଦ ଆପଦ ଦେବାରେ ଟାଳି ।୨।

 

ଗମ୍‍-ଗମ୍‍-ଗମ୍‍ ବହଇ ଝାଳ,

ବଇଶାଖ-ଜ୍ୟେଷ୍ଠ ଗ୍ରୀଷମ କାଳ,

ଭଲ କାମେ ମିଳେ ଉତ୍ତମ ଫଳ,

ଗ୍ରୀଷ୍ମ ପରେ ଆସେ ବରଷା କାଳ,

ଚାଷୀ ଭାଇ ଯିବ କ୍ଷେତକୁ ବାହାରି

ସାଙ୍ଗରେ ନେଇ ତା’ ବଳଦ ହଳ ।୩।

 

କଳ-କଳ-କଳ ବହେ ଝରଣା

ଘର ପାଖେ ଆଛି ବଡ଼ ଅଗଣା

ଆମ କୁନା ବସି ଖାଉଛି ଚଣା

ଧଳା ବଳାଡାଟି ଭାରି ମାରଣା

ଅନ୍ଧାର ରାତିରେ ଆଲୁଅ ନ ଥିଲେ

ବେଳେବେଳେ ବା ହୋଇବା ବଣା ।୪।

 

ଟିକ୍‍-ଟିକ୍‍-ଟିକ୍‍ ଚାଲଇ କଣ୍ଟା,

ଘଣ୍ଟାରେ ରହିଛି ତିନୋଟି କଣ୍ଟା,

ଦିନରାତି ମିଶି ଚବିଶି ଘଣ୍ଟା,

ମନ୍ଦିରରେ ଭୋଗ ହେଉଛି ବଣ୍ଟା

ପୋଖରୀ କୂଳରୁ ଦୂରକୁ ହଟିଯା,

ବାଜିଯିବ କାଳେ ବନିଶୀ କଣ୍ଟା ।୫।

 

ଫଟ୍‍-ଫଟ୍‍-ଫଟ୍‍ ଫୁଟେ ଫୋଟକା

ବାଣ ଶବଦରେ ପିଲା ତାଟକା,

ପରିବା ଖାଇବା ସଦା ତଟକା,

ରୂପା ଥାଳିଆଟି ଟିକେ ଚଟକା,

ମନ ଯୋଗ ଦେଇ ପାଠ ପଢ଼ୁଥିଲେ

ପରୀକ୍ଷା ବେଳକୁ ନ ଥିବ ଦକା ।୬।

 

ଶିକ୍ଷକ, ବୃନ୍ଦାବନ ବିହାରୀ ଉଚ୍ଚ ବିଦ୍ୟାଳୟ,

ଗୋଡ଼ା, ବୋରିକିନା, ଜଗତସିଂହପୁର

Image

 

ଭଲମନ୍ଦ

କୃଷ୍ଣ ମିଶ୍ର

 

ସବୁଥିରେ ଅଛି ଭଲମନ୍ଦ,

ପ୍ରମୋଦ ଭିତରେ ପରମାଦ,

ଭରପୁର ଖୁସି ଜୀବନ ଭିତରେ

 

ଗୋପନରେ ଯେହ୍ନେ ମୃତ୍ୟୁଭେଦ ॥

 

ପବନ ବହଇ ସୁଲୁସୁଲୁ,

ମନ ମତାଣିଆ ବିଲ୍‍କୁଲ୍‍,

ବେଳେବେଳେ ବାଆ ବତାସୀ ବହଇ

 

ଦୁନିଆଁ ହୁଅଇ ହୁଲ୍‍ସ୍ଥୁଲ୍‍ ॥

 

ପାଣି ବହୁଥାଏ ଝରଝର,

ଖୁସି ଲାଗେ ଦେଖି ପାଣିଧାର,

ବଢି ବେଳେ ପାଣି କାହାର ନୁହଁଇ

 

ନିମିଷେ ଉଜାଡ଼େ ଘରଦ୍ୱାର ॥

 

ନିଆଁ ପାଖେ ଆମେ ବିଶମ୍ୱଦ,

ଆଲୁଅ ନ ଥିଲେ ତୁଚ୍ଛା ଅନ୍ଧ,

ଆଖି ପଲକରେ ସେଇ ନିଆଁ ପୁଣି

 

ସଂସାରକୁ କରେ ବରବାଦ୍‍ ॥

 

ମାଟି ନୁହେଁ ସିଏ ମାଆ କୋଳ,

ସଭିଏଁ ତାହାର ଅଲିଅଳ,

ଥାଏ ଥାଏ ଯଦି ବସୁଧା ଫାଟଇ

 

ଜୀବନ ହୁଅଇ କଲବଲ ॥

 

ଖରା ବର୍ଷା ସାଥେ ଖେଳି ଖେଳ,

ଆକାଶ ଦିଶଇ ଭାରି ନୀଳ,

ଖରାବର୍ଷା ଯଦି ଅସମ୍ଭାଳ ହୁଏ

 

ସାରା ସୃଷ୍ଟି ଯାଏ ରସାତଳ ॥

 

ଭଲମନ୍ଦ ଦିହେଁ ଦି'ଭାଇ,

ଜଣଙ୍କୁ ଛାଡ଼ିଲେ ଆନ କାହିଁ ?

ଖାଦ ନ ମିଶିଲେ ସୁନା ଅଳଙ୍କାର

 

ଆଖି ଝଲସିଆ ହୁଏ ନାହିଁ ॥

 

ଯୋତ,

ଅଲଣାହାଟ,

ଜଗତସିଂହପୁର

 

ଶ୍ରୀଧର ସ୍ୱାମୀ

ରାଜକିଶୋର ରାଜ

 

ଭଗବତ୍‍ ଗୀତା ହିନ୍ଦୁମାନଙ୍କର ପ୍ରିୟ ଧର୍ମଗ୍ରନ୍ଥ । କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ସଂସାର ଓ ଜୀବନ ବିଷୟରେ ଅର୍ଜୁନଙ୍କୁ ଯାହା ଉପଦେଶ ଦେଇଥିଲେ, ଗୀତାର ଅଠରଟି ଅଧ୍ୟାୟରେ ତାହା ବର୍ଣ୍ଣନା କରାଯାଇଛି । ଭଗବତ୍‍ ଗୀତା ସଂସ୍କୃତରେ ଲେଖା ହୋଇଥିଲେ ମଧ୍ୟ ତା’ର ଭାବାର୍ଥ ବୁଝିବା ଭାରି କଷ୍ଟ । ସେଥିପାଇଁ ଅନେକ ବଡ଼ ବଡ଼ ପଣ୍ଡିତ ଗୀତା ଉପରେ ଟୀକା ରଚନା କରିଯାଇଛନ୍ତି । ଯେତେଗୁଡ଼ିଏ ଟୀକା ରଚନା କରାଯାଇଛି ସବୁ ଭିତରେ ଶ୍ରୀଧର ସ୍ୱାମୀଙ୍କ ଲିଖିତ ଟୀକା ସବୁଠାରୁ ଭଲ ଓ ଠିକ୍‍ ବୋଲି ବିଚାର କରାଯାଇଥାଏ ।

 

ବାରାଣସୀରେ ଶାସ୍ତ୍ର ଆଲୋଚନା ଓ ସାଧନା କରୁଥିବାବେଳେ ଶ୍ରୀଧର ଗୀତାର ତାଳପତ୍ର ପୋଥି ଖଣ୍ଡିଏ ପାଇଲେ । ଆଗରୁ ସେ ଗୀତା ପଢ଼ିଥିଲେ । ଏ ଖଠିକ ପଢ଼ି ଏହାର ରଚନାରେ ସେ ମୁଗ୍‍ଧ ହେଲେ । ସେହିଦିନ ରାତିରେ ଭଗବାନ ବିନ୍ଦୁମାଧବ ତାଙ୍କୁ ସ୍ୱପ୍ନରେ ଦେଖାଦେଇ ଆଦେଶ ଦେଲେ, ‘‘ତୁମେ ଗୀତାର ଟୀକା ରଚନା କର, କିଛି କଷ୍ଟ ହେବ ନାହିଁ, ମୋ' ନାମ ସ୍ମରଣ କରି ତୁମେ ରଚନା କରିବ ।’’

 

ଆଦେଶ ପାଳନ କରି ଶ୍ରୀଧର ଟୀକା ରଚନା କାମ ଆରମ୍ଭ କଲେ । ସହଜରେ ତାହା ମଧ୍ୟ ଶେଷ ହୋଇଗଲା । ଶ୍ରୀଧର ଟୀକା ବାରାଣସୀରେ ଚହଳ ପକାଇଦେଲା । କେତେକ ତାହା ପଢ଼ି ଭୁରି ଭୁରି ପ୍ରଶଂସା କଲେ । କେତେକ ତାହାର ନିନ୍ଦା ମଧ୍ୟ କଲେ । କୌଣସି ସ୍ଥାନରେ ନିନ୍ଦୁକମାନଙ୍କର ତ ଅଭାବ ନାହିଁ । ଶ୍ରୀଧରଙ୍କ ଗୀତା ଟୀକାର ମୂଲ୍ୟ ନିରୂପଣ କରିବାକୁ ଭଗବାନ ବିନ୍ଦୁମାଧବଙ୍କ ମନ୍ଦିରରେ ପଣ୍ଡିତ ସଭାଟିଏ ବସିଲା । ସେଠାକୁ ଅନ୍ୟ ପଣ୍ଡିତମାନେ ଲେଖିଥିବା ଟୀକା ମଧ୍ୟ ନିଆଗଲା । ସବୁଗୁଡ଼ିକ ବିନ୍ଦୁମାଧବଙ୍କ ମୂର୍ତ୍ତି ପାଖରେ ଥୋଇଦେଇ ପଣ୍ଡିତମାନେ ପ୍ରାର୍ଥନା କଲେ-

 

‘‘ପ୍ରଭୋ ! ଯେଉଁ ଟୀକା ସବୁଠାରୁ ଭଲ ତାହା ତୁମର ପାଦ ପାଖକୁ ନେଇଯାଅ ।’’ ମନ୍ଦିର କବାଟ ଆଉଜେଇ ଦିଆଗଲା । କିଛି ସମୟ ପରେ କବାଟ ଖୋଲିବାରୁ ଦେଖାଗଲା ଶ୍ରୀଧର ସ୍ୱାମୀଙ୍କ ଲିଖିତ ଟୀକା ଖଣ୍ଡକ ଭଗବାନ ବିନ୍ଦୁମାଧବଙ୍କ ପାଦ ପାଖରେ ଥୁଆ ହୋଇଛି ।

 

ସମସ୍ତେ ଶ୍ରୀଧର ସ୍ୱାମୀଙ୍କୁ ଶ୍ରେଷ୍ଠ ବୋଲି ମାନିନେଲେ । ସେ ଆଦର ଓ ଭକ୍ତି ପାଇବାକୁ ଲାଗିଲେ । ତାଙ୍କର ଅନେକ ଶିଷ୍ୟ ମଧ୍ୟ ସୃଷ୍ଟି ହୋଇଥିଲେ ।

 

ଶ୍ରୀଧର ସ୍ୱାମୀ ବୁଢ଼ା ହୋଇଯାଇଥା’ନ୍ତି । ତାଙ୍କୁ ଭାରି ଜର ହୋଇଥାଏ । ମାଧବ ବୋଲି ପ୍ରିୟ ଶିଷ୍ୟଟିଏ ତାଙ୍କ ପାଖରେ ବରାବର ରହି ସେବା କରୁଥାଏ ।

 

ହଠାତ୍‍ ମାଧବର ମାଆ ପଶି ଆସିଲେ । ମାଆ କାନ୍ଦୁଥାଆନ୍ତି । ମାଧବ ଆଶ୍ଚର୍ଯ୍ୟ ହୋଇ କାନ୍ଦିବାର କାରଣ ପଚାରିଲା । ମାଆ କହିଲେ, ତୋ’ର ବାପା ଅଚାନକ ବେମାର ପଡ଼ି ଚେତା ହରେଇଛନ୍ତି । ମୁଁ କଅଣ କରିବି ମୋତେ ବୁଦ୍ଧି ଦିଶୁ ନାହିଁ ।

 

ମାଧବ କ’ଣ କରିବ କିଛି ଠିକ୍‍ କରିପାରିଲା ନାହିଁ । ସେ ଯୋଡ଼ହସ୍ତରେ ଶ୍ରୀଧରଙ୍କୁ ଲକ୍ଷ୍ୟ କରି କହିଲା- ‘‘ଗୁରୁଦେବ ! ବାପାଙ୍କର ଏ ଅବସ୍ଥା ଶୁଣିଲେ ତ ଏଣେ ଆପଣଙ୍କ ଦେହ ଆଦୌ ଭଲ ନାହିଁ । ମୁଁ କ’ଣ କରିବି କୁହନ୍ତୁ ।’’

 

ଶ୍ରୀଧର ସାମାନ୍ୟ ହସି କହିଲେ- ‘‘ମାଧବ, ତୁମେ ଯାଅ, ବାପାଙ୍କର ଯତ୍ନ ନେବ । ଆଜି ରାତିଟା ମୁଁ କୌଣସି ପ୍ରକାରେ ଚଳାଇ ନେବି ।’’

 

ମାଧବ ଓ ତା’ର ମାଆ ଚାଲିଗଲେ, ସେଇ ରାତିରେ ଶ୍ରୀଧରଙ୍କର ଜର ଆହୁରି ବଢ଼ିଲା-। କିଛି ଖାଇ ନ ଥିବାରୁ ତାଙ୍କ ପେଟ ଭୋକରେ ଜଳିବାକୁ ଲାଗିଲା । ଅଳ୍ପ ଦୂରରେ ଗୋଟିଏ ପାତ୍ରରେ କିଛି ଖାଦ୍ୟ ପଦାର୍ଥ ଥିଲା, କିନ୍ତୁ ସେ ପର୍ଯ୍ୟନ୍ତ ଯିବାକୁ ତାଙ୍କ ଗୋଡ଼ରେ ଶକ୍ତି ନ ଥିଲା । ଭଗବାନ ବିନ୍ଦୁମାଧବ ଭକ୍ତର ଏ କରୁଣ ଅବସ୍ଥା ସହିପାରନ୍ତେ କିପରି ? ସେ ଶିଷ୍ୟ ମାଧବ ବେଶରେ ପହଞ୍ଚିଗଲେ ଓ ଶ୍ରୀଧରଙ୍କୁ ଖାଇବାକୁ ଦେଇ ଯଥା ସମ୍ଭବ ସେବା କଲେ । ଶ୍ରୀଧର କିଛି ଜାଣି ପାରିଲେ ନାହିଁ ।

 

ତହିଁଆରଦିନ ସକାଳୁ ପ୍ରକୃତ ଶିଷ୍ୟ ମାଧବ ପହଞ୍ଚି, ପଚାରିଲା- ‘‘ଗୁରୁଦେବ, କାଲି ରାତିରେ କିଛି ଅସୁବିଧା ହୋଇନାହିଁ ତ ?’’

 

ଶ୍ରୀଧର କହିଲେ- ‘‘ଆଶ୍ଚର୍ଯ୍ୟ ! ରାତିସାରା ତୁମେ ମୋ ପାଖରେ ଥିଲ ।’’

 

ମାଧବ କହିଲା- ‘‘ଆପଣଙ୍କ ଭ୍ରମ ହୋଇଛି । ମୁଁ ରାତିସାରା ବାପାଙ୍କ ପାଖରେ ଥିଲି ।’’

 

ଶ୍ରୀଧର ବୁଝିଲେ- ‘‘ସ୍ୱୟଂ ବିନ୍ଦୁମାଧବ ଶିଷ୍ୟ ବେଶରେ ତାଙ୍କର ସେବା କରି ଯାଇଛନ୍ତି-।’’

 

ସଭାପତି

ନୀଳଶୈଳ

ଗଜେନ୍ଦ୍ର ଭବନ

ଝାଞ୍ଜିର ମଙ୍ଗଳା

କଟକ-୭୫୩୦୦୯

Image

 

ହୋଲି

ସୁରେନ୍ଦ୍ର ପ୍ରସାଦ ମିଶ୍ର

 

ଭାରତ ପର୍ବପର୍ବାଣୀର ଦେଶ । ଏଠାରେ ପ୍ରତିଦିନ କିଛି ନା କିଛି ପର୍ବ ପାଳିତ ହେଉଥାଏ । ଭାରତରେ ସବୁ ଧର୍ମର ଉତ୍ସବ ପାଳନ କରାଯାଏ । ହିନ୍ଦୁମାନଙ୍କର ପର୍ବଗୁଡ଼ିକ ମଧ୍ୟରେ ହୋଲି ଗୋଟିଏ ପ୍ରମୁଖ ପର୍ବ ।

 

ହୋଲି ଉତ୍ସବ ବସନ୍ତ ଏବଂ ଗ୍ରୀଷ୍ମ ଋତୁର ସନ୍ଧିକାଳରେ ଫାଲ୍‍ଗୁନ ମାସର ପୂର୍ଣ୍ଣିମା ତିଥିରେ ଆଡ଼ମ୍ୱର ସହିତ ପାଳନ କରାଯାଏ । ଏହାକୁ ରଙ୍ଗ ଉତ୍ସବ ମଧ୍ୟ କୁହାଯାଏ । ହୋଲି ଉତ୍ସବ ଗ୍ରୀଷ୍ମ ଆଗମନର ସୂଚନା ଦେଇଥାଏ ।

 

ଆମର ପ୍ରତ୍ୟେକ ପର୍ବପର୍ବାଣୀ ସହିତ କୌଣସି ନା କୌଣସି ପୌରାଣିକ କଥା ଅବଶ୍ୟ ଯୋଡ଼ି ହୋଇରହିଛି । ହୋଲି ସମ୍ୱନ୍ଧରେ କୁହାଯାଇଛି କି ଦୈତ୍ୟରାଜ ହିରଣ୍ୟକଶିପୁ ଈଶ୍ୱର ବିରୋଧୀ ଥିଲା ଏବଂ ସେ ନିଜର ପ୍ରଜାମାନଙ୍କୁ ଭଗବାନ ବିଷ୍ଣୁଙ୍କର ନାମ ନ ନେବାପାଇଁ ଚେତାବନୀ ଦେଇଥିଲା । ଦୈତ୍ୟରାଜର ପୁତ୍ର ପ୍ରହ୍ଲାଦ, ଈଶ୍ୱରଙ୍କର ପରମଭକ୍ତ ଥିଲା । ବାରମ୍ୱାର ବୁଝାଇବା ପରେ ମଧ୍ୟ ଯେତେବେଳେ ପ୍ରହ୍ଲଦା ଈଶ୍ୱରଭକ୍ତି ଛାଡ଼ିଲା ନାହିଁ, ସେତେବେଳେ ହିରଣ୍ୟକଶିପୁ ପ୍ରହ୍ଲାଦକୁ ମାରିଦେବା ପାଇଁ ଚେଷ୍ଟା କଲା । କିନ୍ତୁ ଭଗବାନ ବିଷ୍ଣୁଙ୍କର କୃପାରୁ ପ୍ରହ୍ଲାଦର କୌଣସି କ୍ଷତି ହେଲାନାହିଁ ।

 

ହିରଣ୍ୟକଶିପୁର ଭଉଣୀ ହୋଲିକା ବର ପାଇଥିଲା କି ସେ ଅଗ୍ନିରେ ଜଳିବ ନାହିଁ । ନିଜ ଭାଇର ଅନୁରୋଧରେ ହୋଲିକା ପ୍ରହ୍ଲାଦକୁ ନିଜ କୋଳରେ ଧରି ଧୂ ଧୂ ହୋଇ ଜଳୁଥିବା କାଠଗଦା ଉପରେ ବସିଗଲା । କିନ୍ତୁ ଭଗବାନଙ୍କ କୃପାରୁ ହୋଲିକାର ବରଦାନ ଅଭିଶାପରେ ପରିଣତ ହେଲା । ଫଳରେ ହୋଲିକା ନିଆଁରେ ଜଳିଗଲା ଏବଂ ପ୍ରହ୍ଲାଦ ସୁରକ୍ଷିତ ରହିଲା । ଏହି ଘଟଣାର ସ୍ମୃତିଚାରଣ କରି ସେ ଯୁଗରୁ ଆଜି ପର୍ଯ୍ୟନ୍ତ ଲୋକମାନେ ହୋଲି ଜଳାଇ ଆନନ୍ଦ ମନାଇ ଆସୁଛନ୍ତି

 

ପ୍ଲଟ୍‍ ନଂ- ୮୩୦,

ରସୁଲଗଡ଼ (ଶବରସାହି),

ଭୁବନେଶ୍ୱର-୭୫୧୦୧୦

Image

 

ଝାଡ଼ୁ ଅପା

ମଞ୍ଜୁ ଦାସ

 

ଝାଡ଼ୁ ଅପା ମୁହିଁ ଝାଡ଼ୁ ଅପା

କରଇ ମୁଁ ତୁମ ଘର ସଫା

ହୁଏ ନାହିଁ ମୁହିଁ କେବେ ଖପ୍ପା

 

ଝାଡ଼ୁ ଅପା ମୁଁ ଯେ ଝାଡ଼ୁ ଅପା ।

 

ଗଦି ବିଛଣା ମୋ ନାହିଁ ଲୋଡ଼ା

ଘର କୋଣେ ନିତି ହୁଏ ଛିଡ଼ା

କେବେ ହୁଏ ନାହିଁ ଚିଡ଼ିଚିଡ଼ା

 

ସତେ କି ଯେମିତି ବୁଢ଼ାହଡ଼ା ।

 

ଅଳିଆ କାଗଜ, ବାଲି, ଧୂଳି

ସବୁକୁ ଓଳାଇ ନିଏ ତୋଳି

କାମ ବେଶି ମୋ’ ସକାଳ ଓଳି

 

ପୁଣି ଘରକୋଣେ ରହେ ଢଳି ।

 

ଦୁଇ ଝାଡ଼ୁ ଯଦି ମିଶି ରହେ

ଘରଣୀଙ୍କ ରାଗ ଦେଖେ କିଏ

ମୋ ଭାଇକୁ ନେଇ ଫିଙ୍ଗି ଦିଏ

 

କାଳେ ହୋଇଯିବ କଳିଟାଏ ।

 

ପାଠ ପଢ଼ି ସବୁ ହେଲ ଜ୍ଞାନୀ

ଅନ୍ଧବିଶ୍ୱାସକୁ ଛାଡ଼ିଲନି

ମୋ ଦୁଃଖ କି କେବେ ବୁଝିବନି

 

ସବୁବେଳେ ରହେ ହୋଇ ତୁନୀ ।

 

ସାରା ଜୀବନଟା ଖଟେ ମୁହିଁ

ମୋ ଦୁଃଖ ଦୁନିଆ ବୁଝେ ନାହିଁ

ସ୍ୱାର୍ଥପର ଏ ମଣିଷ ଭାଇ

 

ସୁସ୍ଥ ରହଇ ଯେ ମୋ ପାଇଁ ।

 

ଚାଟରା (ନଡ଼ିଆବାଗ),

ଜଗତସିଂହପୁର- ୭୫୪୧୦୩

Image

 

ଆମ୍ୱ ନିମ୍ୱ

କୌଳାସ ମଲିକ

 

ଆମ୍ୱ ନିମ୍ୱ ଦିନେ

ଆଲୋଚନା କଲେ

ନଟିଆ ନାହାକ ବାଡ଼ିରେ

ନିମ୍ୱ କହେ ଆରେ

ଆମ୍ଭ ଭାଇ ତତେ

କହିବି ଗୋଟାଏ ଧାଡ଼ିରେ ।

 

 

ଆମ୍ୱ ତ ତୋହର

ଗଛ ତ ତୋହର

ଫୋପଡ଼ ଖାଉଛୁ କାହିଁରେ

ଫୋପଡ଼ର ମାଡ଼

ଲାଗେ କିରେ ଭଲ

କହିଲୁ ମୋ ଆଗେ ଭାଇରେ ?

 

ଆମ୍ୱ କହେ ଯିଏ

ଫୋପଡ଼ ସହିଛି

ଜୀବନ ତା’ ଧନ୍ୟ ସତରେ

ଫଳନ୍ତି ଗଛକୁ

ଫୋପଡ଼ ନ ଗଲେ

ସେ ଗଛ କି ଗଣା ଗଛରେ ।

 

ଫଳନ୍ତି ଗଛକୁ

ପିଲାଙ୍କ ଆଦର

ଅଫଳନ୍ତି ଗଛ ଦୂରରେ

ଯେମିତି ପଣ୍ଡିତ

ଆଦର ପାଆନ୍ତି

ଅପଣ୍ଡିତ ଥାଏ ଦୂରରେ ।

 

ମିଠା ଫଳ ସିନା

ସମସ୍ତଙ୍କୁ ଭଲ

ପିତା କି ତୁଳନା ତହିଁରେ

ପିତାଠାରୁ ମିଠା

ଆଦର ବହୁତ

ଜାଣିଥା ଏ କଥା ଭାଇରେ ।

 

ଗୁଣ ଯାହାଠାରେ

ରୁଣ୍ଢ ତା' ପାଖରେ

ପ୍ରଭେଦ ତ ଆମ ଭିତରେ

ତୁ ଏକୁଟିଆ ମୋ

ପଛରେ ଛୁଆ

ଫୋପଡ଼ ଖାଉଛି ଆଦରେ ।

 

ଜ୍ଞାନୀଗୁଣି ପାଇଁ

ଆଲୋଚନା ହୁଏ

ସମାଲୋଚନା ବି ସାଥୀରେ

ଅଜ୍ଞାନୀକୁ କାହିଁ

କିଏ ବା ପଚାରେ

ଯେମିତି ତୋ ମୋ ଭିତରେ ।

 

ଗାଈକୁ ଦୁହିଁଲେ

କ୍ଷୀର ସିନା ମିଳେ

ଗଛକୁ ଫୋପଡ଼ ସେହିରେ

 

ସହିବା ଶକତି

ଯାହାଠାରେ ଥାଏ

ଗୁଣ ବିକଶଇ ମହିରେ ।

Image

 

କୁସଙ୍ଗର ଫଳ

ଶ୍ରୀ ବଂଶୀଧର ଖୁଣ୍ଟିଆ

 

ଏହି ଆମ ମୁନା ଭାଇଙ୍କ ପୁଅ କୁନା । ଆମ ଗାଁ ବିଦ୍ୟାଳୟର ନବମ ଶ୍ରେଣୀରେ ପାଠ ପଢ଼ୁଛି । ତା’ ବାପା ଦୂର ସହରରେ ଚାକିରି କରନ୍ତି । ବାହାରେ ରହନ୍ତି । ବର୍ଷରେ ଥରେ ଦୁଇଥର ଗାଁକୁ ଆସନ୍ତି । ଭଲମନ୍ଦ ବୁଝନ୍ତି । କୁନାର ପାଠପଢ଼ା କଥା ବୁଝନ୍ତି । କୁନା ତାଙ୍କର ଏକମାତ୍ର ପୁଅ । ଆଉ ବା ଆଗକୁ ପଛକୁ କିଏ ଅଛି । ଘରେ ଧନର ବି ଅଭାବ ନାହିଁ । ତାଙ୍କର ବଡ଼ ଚାକିରି । ରୋଜଗାର ଭଲ । ସେ ଚାହାନ୍ତି ପୁଅ ତାଙ୍କର ବେଶୀ ପାଠପଢ଼ୁ । ଡାକ୍ତର ବା ଇଞ୍ଜିନିୟରଟିଏ ହେଉ । ନିଜର ଓ ଗାଁ ମାଟିର ଟେକ ରଖୁ । ଆଜି କୁନା ଗାଁ’ରେ ପାଠପଢୁଛି । ଗାଁ ବିଦ୍ୟାଳୟରେ ପାଠପଢ଼ା ସରିଗଲେ ତାକୁ ସେ ତାଙ୍କ ପାଖକୁ ନେଇଯିବେ । ସହରରେ ତାଙ୍କ ପାଖରେ ରହି ସେ ପଢ଼ିବ । ପୁଅକୁ ନେଇ ତାଙ୍କର କେତେ ଆଶା । କେତେ ସ୍ୱପ୍ନ । ଯେଉଁ ଆଠଦିନ ସେ ଗାଁକୁ ଆସନ୍ତି କୁନାକୁ ପାଖରେ ବସାଇ ପାଠ ପଢ଼ାନ୍ତି । କେତେ ଭଲକଥା କହନ୍ତି । କୁନା ବି ସୁନାପୁଅଟିଏ ପରି ତାଙ୍କ କଥା ଶୁଣେ ।

 

କୁନାର ଆମେ ଦୁଇଗୋଟି ରୂପ ଦେଖୁ । ତା’ ବାପା ମୁନାଭାଇ ଗାଁକୁ ଆସିଲେ ସେ ସୁନାପିଲା ପାଲଟିଯାଏ । ଭାରି ସୁଧାର, ଶାନ୍ତ ଓ ନମ୍ର ହୋଇଯାଏ । ବାପା ଗାଁ ଛାଡ଼ିଲା ପରେ ପରେ ତା'ର ସେ ଶାନ୍ତ ନମ୍ର ସ୍ୱଭାବ କୁଆଡ଼େ ଚାଲିଯାଏ । ଏଠୁଅ ପରି ରୂପ ବଦଳେଇ ଦିଏ । କୁନାର ଦୁଷ୍ଟାମୀ କଥା ଘରେ ମୁନାଭାଇଙ୍କୁ କେହି ଜଣାନ୍ତି ନାହିଁ । ବେଳେବେଳେ ମୁଁ ତାଙ୍କୁ ସାମାନ୍ୟ ସୂଚନା ଦିଏ । ବାହାରେ ରହୁଛନ୍ତି । ସବୁକଥା ଶୁଣିଲେ ସେ ଦୁଃଖ କରିବେ । ମୋ କଥା ଶୁଣି ସେ କହନ୍ତି- ‘‘ତୁମେ ସବୁ ଗାଁରେ ଅଛ । ତା’ ଉପରେ ଆଖି ରଖ । ସେ କ’ଣ ତୋ କଥାରୁ ବାହାରିଯିବ । ଆଉ ଦୁଇଟି ବର୍ଷ ପରେ ମୁଁ ତାକୁ ସାଙ୍ଗରେ ନେଇଯିବି ।’’ ମୁଁ ନୀରବ ହୋଇଯାଏ । ମନେମନେ ଭାବେ ପିଲାଟା ଆଗେ ଗାଁ ବିଦ୍ୟାଳୟ ଡେଉଁ ।

 

କୁନା ଆଗରୁ ଭଲ ପାଠ ପଢ଼ୁଥିଲା । ତା’ ଉପରେ ସମସ୍ତଙ୍କର ଗୋଟିଏ ଭଲ ଧାରଣା ଥିଲା । ଧୀରେ ଧୀରେ ତା’ ପାଠପଢ଼ା ଉପରୁ ଆଗ୍ରହ କମିଗଲା । ଗୋଟିଏ ବୋଲି ତ । ତେଣୁ ସମସ୍ତଙ୍କର ଗେହ୍ଲା । ବୁଢ଼ାବାପା ଆଉ ବୁଢ଼ୀମା’ ତାକୁ ମୁଣ୍ଡରେ ବସାନ୍ତି । ଆକାଶରୁ ଚାନ୍ଦ ଆଣି ଦେବାପାଇଁ କହନ୍ତି । ଯେତେବେଳେ ସେ ଯାହା ଚାହେଁ ସାଙ୍ଗେ ସାଙ୍ଗେ ପୂରଣ ହୋଇଯାଏ । ମା’ ଆକଟ କରନ୍ତି । କେତେ କଥା କହନ୍ତି । ପାଖରେ ବସାଇ ବୁଝାନ୍ତି । ସେ ମା’ଙ୍କ କଥା ଶୁଣେ ନାହିଁ । ସବୁବେଳେ କ୍ରିକେଟ ଖେଳ । ଗାଁର କିଛି ଦୁଷ୍ଟ ପିଲା ତା’ ସାଙ୍ଗରେ ମିଶନ୍ତି । ମିଛ ସତ କହି ସେ ଘରୁ ପଇସା ନେଇଯାଏ । ସାଙ୍ଗମାନଙ୍କ ପାଇଁ ଖର୍ଚ୍ଚ କରେ । ସେମାନଙ୍କ ସାଙ୍ଗରେ ବୁଲେ । କ୍ରିକେଟ ଖେଳେ । ସପ୍ତାହରେ ଦିନେ ଦୁଇଦିନ ବିଦ୍ୟାଳୟକୁ ଯାଏ । ଘରେ ବହି ବି ଖୋଲେ ନାହିଁ-। ବାପା ତ ନାହାନ୍ତି । ଡର କାହାକୁ । କୁସଙ୍ଗରେ ପଡ଼ି ତା’ ପରି ଗୋଟିଏ ଭଲପିଲା ଖରାପ ହୋଇଗଲା ।

 

ଗତ ବାଲିଯାତ୍ରା ସମୟର କଥା । ତା’ ସାଙ୍ଗ ମାଧିଆ ତାକୁ ବାଲିଯାତ୍ରା ଦେଖି ଯିବାପାଇଁ କହିଲା । କୁନା ରାଜି ହୋଇଗଲା । ଟ୍ୟୁସନ ସାରଙ୍କୁ ଟଙ୍କା ଦେବ ବୋଲି କହି ବୁଢ଼ାବାପାଙ୍କ ପାଖରୁ କିଛି ଟଙ୍କା ବି ମାରିନେଲା । କାହାରିକୁ କିଛି ନ ଜଣେଇ ଦୁଇଜଣ ବାହାରି ପଡ଼ିଲେ । ଭଦ୍ରକରୁ କଟକ । ରେଳଗାଡ଼ିରେ ଯିବେ । ମାଧିଆ ତ ପାଠଶାଠ ପଢ଼େନାହିଁ । ତାକୁ ବା ଅଜଣା କ’ଣ ? ଷ୍ଟେସନରେ ମାଧିଆ ଟିକଟ ପାଇଁ ତା’ ପାଖରୁ ଟଙ୍କା ନେଇଗଲା । ଭାରି ଭିଡ଼ । କୁନା ଗୋଟିଏ ସ୍ଥାନରେ ଠିଆହେଲା । ମାଧିଆ ବୁଲିଆସି କହିଲା, ‘‘ଶୀଘ୍ର ଚାଲ । ଗାଡ଼ି ଆସିଲାଣି-। ଟିକଟ ମୋ ପାଖରେ ଅଛି ।’’ ସେମାନେ ଗାଡ଼ିରେ ବସିଲେ ।

 

ଯାଜପୁର-ରୋଡ଼ରେ ଗାଡ଼ି ରହିଲା । ଜଣେ ଟି.ଟି.ସି. ସେ ଡବାକୁ ଆସି ଯାତ୍ରୀଙ୍କ ଟିକଟ ଯାଞ୍ଚ କଲେ । ମାଧିଆ ତ ବଡ଼ ଚତୁର । ସେ ତ ଟିକଟ କାଟିନାହିଁ । ସେ ପାଇଖାନା ଭିତରେ ଲୁଚିଗଲା । ଆଉ ଆମ କୁନା । ଆହା ବିଚରା ଧରା ପଡ଼ିଗଲା । ମାଧିଆକୁ ଖୋଜିଲା । ସେ ତ ପାଇଖାନାରେ । ବିଚରା ଅନେକ କାନ୍ଦିଲା । ଧରା ହୋଇ ଗୋଟିଏ ରାତି ଜେଲରେ ରହିଲା । ସବୁ ପଇସା ତ ମାଧିଆ ମାରିନେଇଛି । ସେ ଆଉ କରିବ କ’ଣ ?

 

ଖବର ପାଇ ଆମେ ଗଲୁ । ବଡ଼ କଷ୍ଟରେ ତାକୁ ମୁକୁଳେଇ ଆଣିଲୁ । ସେ ଖାଲି କାନ୍ଦୁଥାଏ । ସେହି ଦିନୁ ମାଧିଆ ଆଉ ଗାଁକୁ ଫେରିନି । ମାତ୍ର କୁନା ଏକବାର ସୁନା ହୋଇଯାଇଛି-। ପାଠପଢ଼ାରେ ମନପ୍ରାଣ ଢାଳି ଦେଇଛି ।

 

ସା/ପୋ- ମଉଦା,

ଭାୟା- ମାଧବନଗର,

ଜିଲ୍ଲା- ଭଦ୍ରକ

Image

 

ମହାନ୍‍ ବୃକ୍ଷ ‘‘ବେଲ’’

ବାମଦେବ ସ୍ୱାଇଁ

 

କେଉଁ ପୁଣ୍ୟବଳେ ଜନମ ଲଭିଛି

ନାମ ମୋର ବେଲ ବୃକ୍ଷ

କଣ୍ଟକିତ ମୋର ଦେହଯାକ ସିନା

ସୁବାସିତ କରେ ମନ । (୧)

 

ପତ୍ରଟି ମୋହର ତ୍ରିଶାଖା ଅଟଇ

ଶିବଙ୍କର ଅତି ପ୍ରିୟ

ରୋଗରେ ଶୋକରେ ପଡ଼ିଗଲେ ଥରେ

ପତ୍ରକୁ ବାଟିଣ ପିଅ । (୨)

 

ଫଳଟି ମୋହର ଗୋଲାକାର ସିନା

ଖୋଳପାଟି ମୋର ଟାଣ

ଭିତରେ ରସାଳ ଶସ ଭରପୁର

ଖାଇଲେ ଜାଣିବ ଅମୂଲ ମୂଲ । (୩)

 

କାଠଟି ମୋହର ଚନ୍ଦନ ତୁଲ୍ୟ

ମାଖିଦେଲେ ମସ୍ତକରେ

ତ୍ରିମଙ୍କ ଯଦାମହେ ସୁଗନ୍ଧି ପୃଷ୍ଟିବର୍ଦ୍ଧନମ୍‍

ଯଦି ଗାଇ ଦେବ ତୁଣ୍ଡେ ଥରେ

ଗମ୍ଭିରା ଭିତରୁ ଆଶୀର୍ବାଦ ଝରେ

ଆଖିବୁଜି ଦେଲା ପରେ । (୪)

 

ଗଛ ନୁହଁ ମୁଁ ତ ପ୍ରତ୍ୟେକ୍ଷ ଦେବତା

ସବୁରି ହୃଦୟେ ସ୍ଥାନ,

ଶିବଙ୍କ ଗଳାରେ ଲମ୍ୱିଗଲେ ମୁହିଁ

ମଣଇ ମୁଁ ଭାଗ୍ୟବାନ । (୫)

 

ଜୀବନ ମୋହର ସାର୍ଥକ ସିନା

ଜଗତ କଲ୍ୟାଣ ପାଇଁ

ଭକ୍ତିର ସୂତାରେ ବାନ୍ଧି ଦେଲେ ମୋତେ

ଆଶିଷ ଢାଳିବି ମୁହିଁ । (୬)

 

ସମ୍ପାଦକ

‘‘ଶ୍ରୀ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ’’

ନାଉଗାଁ

ଜଗତସିଂହପୁର

Image

 

ମମତାର ଯାଦୁକର

ହୃଷିକେଶ ଜେନା

 

ଛାଇ ଲେଉଟାଣି ବେଳ । ଆକାଶରେ ଭସା ବାଦଲର ପଟୁଆର । ସୂର୍ଯ୍ୟଦେବତା ଲୁଚକାଳି ଖେଳୁଛନ୍ତି ସେମାନଙ୍କ ସାଥିରେ କେତେବେଳୁ । ମାଘମାସର ଶୀତ ଏ ଯାଏ ଛାଡ଼ିନି । ଦକ୍ଷିଣା ପବନର ସୁର ଶବଦ ନାହିଁ, ହେଲେ ଆମ୍ୱ ବଉଳରୁ ଆମ୍ୱକଷି ଆସିବ ଆସିବ ବୋଲି ଦରହସା ଦେଲାଣି । ଲିପୁନାର ନଜର ନା ଆକାଶଆଡ଼େ ନା ଆମ୍ୱ ବଉଳଆଡ଼େ । ସାପୁଆ କେଳାର ନାଗେଶ୍ୱରୀ ପରି ତା’ କାନରେ ତୁହାଇ ତୁହାଇ ବାଜିଯାଉଛି ଗୁପ୍‍ଚୁପ୍‍ ବାଲା ମୋତିରାମ ଘଣ୍ଟିର ଠନ୍‍... ଠନ୍‍... ଆବାଜ । ମନ୍ତ୍ରମୁଗ୍‍ଧ ଭଳି ଏକ ନଜରରେ ସେଇଆଡ଼େ ଚାହିଛି ଲିପୁନା । ତାଙ୍କ ଘର ପାଖରେ ଗୁପ୍‍ଚୁପ୍‍ ବାଲା ମୋତିରାମ ପହଞ୍ଚୁ ନ ପହଞ୍ଚୁଣୁ ଏକ ଦମରେ ଡିଆଁମାରି ଲିପୁନା ଯାଇ ତା’ ମା’ ପାଖରେ । ମା’ର କାନି ଧରି ସୁଁ... ସୁଁ... ହେଲା । ସତରେ ଯେମିତି ଆଖିରୁ ତା’ର ଦୁଇଧାର ପାହାଡ଼ ଝରଣା ପଥରର ଛାତି ଚିରି ଲମ୍ୱିଯିବେ ମୁହଁରୁ ପାଦ ତଳକୁ । କେଜାଣି କାହିଁକି ମା’ର ଅମାନିଆ ହାତ ଦୁଇଟା ତାକୁ କୋଳେଇ ନେଉ ନେଉ ଲିପୁନାର ଅଝଟପଣ ତାଙ୍କୁ ଟାଣି ନେଇଗଲା ଗୁପ୍‍ଚୁପ୍‍ ବାଲା ମୋତିରାମର ଠେଲାଗାଡ଼ିଆଡ଼େ ।

 

ସତରେ ବଡ଼ ଅଥୟ ଭାବ ସେବେଳେ ପିଲାଙ୍କର । ସବୁ ପିଲାମାନେ ବଡ଼ ଜିଦଖୋର ଏଇ ବୟସରେ । ମାଳତୀ ଦେବୀଙ୍କର ତାଙ୍କ ପିଲାଦିନର କଥା ମନେପଡ଼ି ଯାଉଥିଲା । ମନେପଡ଼ି ଯାଉଥିଲା ବାପାଙ୍କର ନାଲି ଆଖିରୁ ରକ୍ଷା ପାଇବାକୁ ସେ କେମିତି ନିଜକୁ ଲୁଚାଇ ଦେଉଥିଲା ମା’ର ପଣତ ଉହାଡ଼ରେ । ଓଠରେ ଭରି ଆସୁଥିଲା ଦରମୁକୁଳା ହସ । ଗୁପ୍‍ଚୁପ୍‍ ବାଲାର ଘଣ୍ଟି ଶବ୍ଦରେ ସବୁ ମା’ମାନଙ୍କର ଏକାଦଶା । ଅଝଟିଆ କହ୍ନେଇପାଇଁ ସମସ୍ତେ ଯେମିତି ପାଲଟି ଯାଉଛନ୍ତି ଜଣେ ଜଣେ ଯଶୋଦା ।

 

ମମତାର ମହଲରେ ଯାଦୁକର ବନିଯାଇଛି ମୋତିରାମ । ହଁ... ନାହିଁ ଭିତରେ ପତର ଠୁଙ୍ଗାରେ ମୋତିରାମ ପରଷି ଦେଲାଣି ତା’ର ମନଲୋଭା ଗୁପ୍‍ଚୁପ୍‍ର ସମ୍ଭାର । ପତଳା ଚେହେରା ଭିତରୁ ଠିକ୍‍ ଦେଖି ହେଉଛି ଗୁପ୍‍ଚୁପ୍‍କୁ ସିଝା ଆଳୁର ନାଲି ଲଙ୍କାଗୁଣ୍ଡ ମିଶା ଫିକା ଚେହେରା ବାରି ହୋଇପଡ଼ୁଛି । କଞ୍ଚା ଶାଳପତ୍ରର ସବୁଜିମା ମଝିରେ ସତେ ଯେମିତି ଭୟଭୀତ କେଉଁ ଏକ ବନ ହରିଣୀର ଖୋଜିଲା ଖୋଜିଲା ଆଖି । ତା’ ସହିତ ଲେମ୍ୱୁପତ୍ର ରସଦିଆ ତେନ୍ତୁଳି ପାଣିର ମନ ମତାଣିଆ ମହକ । ଆଉ ସାଙ୍ଗକୁ ବିଟଲୁଣର ସୁଆଦ । ବଡ଼ ମଜାଦାର ସତରେ । ସେଇଥିପାଇଁ ତ ଏତେ ହୋ ହାଲ୍ଲା... ଝାମେଲା... କେତେ କ’ଣ ।

 

ମାନିବାକୁ ହେବ ମୋତିରାମର ଗୁପ୍‍ଚୁପ୍‍କୁ । ସେ ବି କେଉଁ ଅଧିକ ବୟସର ଯେ ! ପନ୍ଦର କି ଷୋଳ ବର୍ଷର ପିଲା । ତା’ରି ସାଙ୍ଗର ପିଲାମାନେ ପାଠ ପଢ଼ୁଛନ୍ତି । ହେଲେ ତା’ ଉପରେ ପରିବାରର ବୋଝ ଲଦି ହୋଇଯାଇଛି । ପେଟପାଇଁ ତାକୁ ଖଟିବାକୁ ପଡ଼ୁଛି । ପାଠ ପଢ଼ିବ କେତେବେଳେ ? ଆଦରି ନେଇଛି ତା’ର ବାପାଙ୍କର ବେଉଷାକୁ । ପାଞ୍ଚବର୍ଷ ତଳୁ ତା’ର ବାପା ଅକାଳରେ ଆରପାରିକୁ ଚାଲିଗଲେ । ଘରର ସବୁ ଜଞ୍ଜାଳ ସମ୍ଭାଳିବାକୁ ପଡ଼ିଲା ତାକୁ । ମା’ ତା’ର ଅଧା ପାଗଳି ହୋଇଗଲା । ଏବେ କିନ୍ତୁ ପରିସ୍ଥିତି ବଦଳି ଗଲାଣି । ସବୁ କଥା ତା’ର ମା’ ବୁଝୁଛି । ଗୁପ୍‍ଚୁପ୍‍ର ତିଆରି କଥା ପଚାରିଲେ ସେ କହିବସେ ତା’ର ମା’ର କଥା । ସବୁ ତା’ର ମା’ ହାତର କରାମତି । ଗୁପ୍‍ଚୁପ୍‍ ଛାଣିବାଠାରୁ ତେନ୍ତୁଳିର ଚାରୁପାଣି ପର୍ଯ୍ୟନ୍ତ ସବୁ ମୂଳରେ ସେଇ ମା’ । ତା’ର ହାତ ଧରି ଏ ସବୁ ସେଇ ଶିଖାଇଛି । ବେପାର ବେଉଷା ନ କଲେ ସେମାନେ ଚଳିବେ କେମିତି ? ଗୁପ୍‍ଚୁପ୍‍ ବେପାର ହିଁ ତାଙ୍କର ଭରଷା, ସବୁକିଛି... ।

 

ଦୈନିକ ଉପରବେଳା ମୋତିରାମ ଗୁପ୍‍ଚୁପ୍‍ ଗାଡ଼ି ଧରି ସାହି ସାହି ବୁଲି ଗୁପ୍‍ଚୁପ୍‍ ବିକେ । ଆଉ ସଞ୍ଜବେଳକୁ ଚାଲିଆସେ ବଜାରକୁ । ଏମିତି ସବୁଦିନ.... ।

 

ଲିପୁନା ସେ ଦିନ ମୋତିରାମର ଘଣ୍ଟି ଶବ୍ଦକୁ ଚାହିଁ ବସିଥାଏ । ମୋତିରାମ କିନ୍ତୁ ସେଆଡ଼େ ଆସିଲା ନାହିଁ । ଦାଣ୍ଡରୁ ଘର... ଘରରୁ ଦାଣ୍ଡ ଏମିତି ଏପଟ ସେପଟ ହୋଇ ବଡ଼ ବିଚଳିତ ହେଉଥାଏ ଲିପୁନା । ଶେଷରେ ମନମାରି ଗୋଡ଼ କଚାଡ଼ି କଚାଡ଼ି ଘର ଅଗଣାକୁ ଆସି ନଥ୍‍ କରି ପିଠାରେ ବସିପଡ଼ିଲା । ସଞ୍ଜ କେତେବେଳୁ ଆସିଗଲାଣି । ବାପାଙ୍କର ତାଗିଦ୍‍ ଶୁଣାଯିବାରୁ ସେ ଦଉଡ଼ିଲା ପଢ଼ାଘରଆଡ଼େ । ସେଠାରେ ଆରମ୍ଭ ହୋଇଯାଇଥିଲା ସଂଧ୍ୟା ପ୍ରାର୍ଥନା-। ବଡ଼ଭାଇ ବିଭୁନା ଆଉ ସାନ ଭଉଣୀ ଶିବାନୀ ସହ ଏକ ସୁରରେ ମଝିରୁ ପାଳି ଧରିଲା... ସତ କହିବାକୁ କିଆଁ ଡରିବି.... ସତ କହି ପଛେ....

 

ଏଇ କେତେଦିନ ହେବ ମୋତିରାମ ବେପାରକୁ ଆସିନାହିଁ । ଥଣ୍ଡା ଜ୍ୱର ଭୋଗୁଛି । ଦେହ ହାତ ତା’ର ବିନ୍ଧା ଛିଟିକା କରୁଛି । ଯାହା ଖାଉଛି ସବୁ ପିତା । ମା’ ଡରରେ ଶାଗୁ ପାଣିତକ ବଳେଇ ବଳେଇ ପିଇବାକୁ ପଡ଼ୁଛି । ଔଷଧ ଖାଇ ଧୀରେ ଧୀରେ ଭଲ ହେଲାଣି । ପୁଣି ବେପାରକୁ ଯିବାକୁ ମନ ତା’ର ଉଚ୍ଛନ୍ନ । ମା’ର କଡ଼ା ତାଗିଦ୍‍ । ଆଗେ ଭଲ ହୁଅ... ତା’ପରେ ବେପାର । ନିଜେ ଭଲ ରହିଲେ ସିନା ପରିବାର କଥା ବୁଝିବୁ । ଏମିତି ଥରେ ଅଧେ ଦେହ ଭଲ ନ ରହିଲେ ମା’ ତା’ର ଦିନରାତି ଜଗି ବସିଥାଏ । ଔଷଧଠାରୁ ସିଝାପାଣି ପର୍ଯ୍ୟନ୍ତ ସବୁ ମୁଣ୍ଡ ଉପରେ ଥୋଇ ଦେଇ ଗୋଡ଼ହାତ ଆଉଁସି ପକାଏ । ମା’ର ମମତାମୟ ହାତ ପରଶରେ ତା’ର ରୋଗ ଅଧା ଭଲ ହୋଇଯାଏ । ମା’ କଥା ଭାବି ଭାବି ମୋତିରାମର ଆଖି ଲୁହରେ ଛଳଛଳ ହୋଇଗଲା-। ଆଖି ବୁଜି ପଛକଥା ସବୁ ମନେ ପକାଉ ପକାଉ କେତେବେଳେ ତାକୁ ନିଦ ହୋଇଯାଇଛି ସେ ଜାଣିପାରିନି ।

 

ପାଖ ସ୍କୁଲର ଖେଳଛୁଟି ସମୟ ହୋଇଗଲାଣି । ତରତରରେ ମୋତିରାମ ସଜପଟା ଠିକ୍‍ କରି ତାର ଠେଲାଗାଡ଼ିର ଘଣ୍ଟି ଠନ୍‍... ଠନ୍‍... କରି ବାହାରିଗଲା ବେପାରକୁ । ମା’ ସବୁ ସଜାଡ଼ି ଦେଇଛି । ମଥାରେ ଲମ୍ୱା ସିନ୍ଦୁର କଲି, ଅଣ୍ଟାରେ ଭିଡ଼ି ଦେଇଛି ଡୋରିଆ ଗାମୁଛା । ସତରେ ଯେମିତି ଜୁନିୟର ତେନ୍ଦୁଲକର । ପଡ଼ିଆକୁ ଓହ୍ଲାଇଲାମାନେ ଛକା ବର୍ଷା... ।

 

ଦିନ ସରି ସରି ଯାଉଛି । ଘଣ୍ଟାରେ ଚାରିଟା ବାଜିଲାଣି । ସ୍କୁଲ ଛୁଟି ବେଳ । ମୋତିରାମର ଠେଲାଗାଡ଼ି ଗଡ଼ି ଚାଲିଲା ବସ୍ତିଆଡ଼େ...

 

ଲିପୁନା ଦଉଡ଼ି ଦଉଡ଼ି ସ୍କୁଲରୁ ଫେରୁଛି । ବାଟରେ ମୋତିରାମକୁ ଦେଖି ତା’ଆଡ଼କୁ ଦଉଡ଼ିଲା । ଏତିକିବେଳେ ସାଇଁକିନା ଗୋଟିଏ ମଟର ସାଇକେଲ ଆସି ଧକ୍କା ଦେଲା ଲିପୁନାକୁ । ସ୍କୁଲ ବ୍ୟାଗଟା ଛିଟିକି ପଡ଼ିଲା କିଛି ଦୂରକୁ । ଲିପୁନାକୁ ଧକ୍କା ଦେଇ ମଟର ସାଇକେଲବାଲା ନିଜର ଭାରସାମ୍ୟ ହରାଇ ବାମପଟରେ ଥିବା ମୋତିରାମର ଠେଲାଗାଡ଼ିକୁ ଧକ୍କା ଦେଇ ଆଖି ପିଛୁଳାକେ ଉଭାନ୍‍ । ଖଣ୍ଡେ ଦୂରରେ ଦୁଲ୍‍କିନା ଚାରୁପାଣି ହାଣ୍ଡିଟା ପଡ଼ି ଛିନ୍‍ଛତର ହୋଇଗଲା ଆଉ ସବୁତକ ଗୁପ୍‍ଚୁପ୍‍ ତଳେ ବିଞ୍ଚି ହୋଇପଡ଼ିବା ସହିତ ଠେଲା ଗାଡ଼ିଟା ରାସ୍ତା କଡ଼କୁ ଲେଉଟି ପଡ଼ିଲା । ସେଆଡ଼େ କିନ୍ତୁ ନଜର ନାହିଁ ମୋତିରାମର । ସେ ଦଉଡ଼ିଲା ଲିପୁନା ପାଖକୁ । ଅଚେତ୍‍ ହୋଇ ପଡ଼ିଥାଏ ଲିପୁନା । ବାମପଟ କାନ୍ଧ ଓ ମୁଣ୍ଡରେ ଆଘାତ ଲାଗି ରକ୍ତ ବାହାରି ଆସିଛି । ଧଳା-ସାର୍ଟଟା ତା’ର ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଛି । ଡେରି ନ କରି ମୋତିରାମ ତା’ ଗାମୁଛାରେ ଲିପୁନାକୁ ଘୋଡ଼ାଇ କାନ୍ଧରେ ପକାଇଲା ଆଉ ଧାଇଁଲା ପାଖ ଡାକ୍ତରଖାନାକୁ । ଡାକ୍ତରଙ୍କୁ ଦେଖାଇ ଆଗ ତା’ର ଚିକିତ୍ସା ବ୍ୟବସ୍ଥା କଲା । ଡାକ୍ତରବାବୁ ସଙ୍ଗେ ସଙ୍ଗେ ସାଲାଇନ ଲଗାଇ ଇଞ୍ଜେକ୍‍ସନ ଦେଲେ ଆଉ ଔଷଧର ଏକ ଚିଠା ଧରାଇ ମୋତିରାମକୁ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଲେ ।

 

କିଛି ସମୟ ପରେ ଲିପୁନାର ସ୍କୁଲ ଶିକ୍ଷକ ମଦନବାବୁ ଆସି ପହଞ୍ଚିଲେ । ତାଙ୍କ ପରେ ପରେ ଲିପୁନାର ବାପା ଆଉ ମା’ ଆସି ପହଞ୍ଚିଗଲେ । ସେତେବେଳକୁ ମୋତିରାମ ଔଷଧ ପ୍ୟାକେଟ ଧରି ପହଞ୍ଚି ଯାଇଛି ଲିପୁନା ପାଖରେ । ମୋତିରାମଠୁ ସବୁକଥା ବୁଝିଲେ । ଏ ପର୍ଯ୍ୟନ୍ତ ଲିପୁନାର ଚେତା ଫେରିନି । ମାଳତୀଦେବୀ ଲିପୁନାର ବେଡ଼୍‍ ପାଖରେ ବସି ଲିପୁନାର ମୁଣ୍ଡ ହାତକୁ ଆଉଁଷି ଦେଉଥାନ୍ତି ।

 

କିଛି ସମୟ ପରେ ଧୀରେ ଧୀରେ ଲିପୁନାର ଚେତା ଫେରିଲା । ଆଖି ଖୋଲି ଏଣିକି ତେଣିକି ଚାହିଁ ନିଦରୁ ଉଠିଲା ପରି କହିପକାଇଲା, ମା’ ମୁଁ କେଉଁଠି ? ବୋଉର ହାତକୁ ମାଡ଼ି ବସି କଇଁ କଇଁ ହୋଇ କାନ୍ଦି ଉଠିଲା । ପାଖରେ ଥିବା ଦିଦି ତାକୁ ସାନ୍ତ୍ୱନା ଦେଲେ । ମୋତିରାମ ତା’ର ପିଠି ଥାପୁଡ଼ାଇ କହିଲା ‘‘କିଛି ହୋଇନି, ବ୍ୟସ୍ତ ହୁଅନ୍ତୁନି ।’’ ଏତିକିବେଳେ ଡାକ୍ତରବାବୁ ଆସି ପହଞ୍ଚିଗଲେ । ଲିପୁନାର ବାପା, ମା’ ଓ ଶିକ୍ଷକ ମଦନବାବୁଙ୍କୁ ଆଶ୍ୱାସନା ଦେଇ କହିଲେ, ‘‘ବିଶେଷ କିଛି ହୋଇନି । ମୋତିରାମ ଯୋଗୁ ଲିପୁନା ବଞ୍ଚିଗଲା ।’’ ନିଜ ବେଉଷାକୁ ପଛରେ ପକାଇ ମୋତିରାମ ଯେଉଁ କାମ କଲା ସେଥିପାଇଁ ସମସ୍ତଙ୍କ ମୁହଁରେ ମୋତିରାମର ପ୍ରଶଂସା ।

 

ମାଳତୀଦେବୀଙ୍କ ଆଖିର ଲୁହ ଆକଟ ନ ମାନି କେଇ ବୁନ୍ଦା ଲିପୁନା ଉପରେ ପଡ଼ିଗଲା । ଆଜି ମୋତିରାମ ଯୋଗୁ ହିଁ ଲିପୁନା ପୁନର୍ଜନ୍ମ ପାଇଲା । ପ୍ରଭୁ ଜଗନ୍ନାଥ ମୋତିରାମର ମଙ୍ଗଳ କରନ୍ତୁ କହୁଥିଲା ବେଳେ ଅଜାଣତରେ ତାଙ୍କ ହାତ ଦୁଇଟି ପ୍ରଣାମ ଭଙ୍ଗୀରେ ଉପରକୁ ଉଠିଯାଉଥିଲା ।

 

ଅଚ୍ୟୁତଦାସପୁର

ଜପା,

ଏରସମା

ଜଗତସିଂହପୁର

Image

 

ଶୁଖିଲା ମୁହଁରେ ହସ

କୈଳାସ ଚନ୍ଦ୍ର ସ୍ୱାଇଁ

 

ରାସ୍ତା କଡ଼ର ଗଛ ଛାଇ ତଳେ

ଛୋଟ ପିଲାଟିଏ ବସି

ଆସ ବାବୁ ଜୋତା ପଲିସ୍‍ କରିବ

ଡାକୁଥିଲା ହସି ହସି ।

 

ଯାଉଥିଲି ଫେରି ପଛକୁ ଚାହିଁଲି

ଭାରି ଖୁସି ହେଲା ସିଏ

କହିଲା ହେଇଟି ନିଅ ନିଅ ବାବୁ

ତୁମ ମୁଦି ପରା ଇଏ ।

 

କେତେଦିନ ହେଲା ସାଇତି ରଖିକି

ଖୋଜୁଥିଲି ମନେ ମନେ

ଆଜି ଠାରୁ ମୋର ବଡ଼ ଚିନ୍ତା ଗଲା

ପାଇଗଲି ଏତେ ଦିନେ ।

 

ଦେଖିଲି କେତେ ଯେ ଆନନ୍ଦର ଢେଉ

ମୁଖ ମଣ୍ଡଳରେ ତା’ର

ଆଉଁସି କହିଲି ସୁନାପିଲା ତୁ

ଜୀବନରେ ହବୁ ବଡ଼

 

ଛୋଟ ପିଲା ସିନା ହୃଦୟ ତା’ ବଡ଼

ନଇଁ ଯାଉଥିଲା ମଥା

ଅନ୍ତର ଖୋଲି ସାଥିରେ ତାହାର

ହେଲି କେଇପଦ କଥା ।

 

ପଚାରିଲି ଜୋତା ପଲିସ୍‍ କରୁଛୁ

ତୁ କି ମୋଚିଘର ପିଲା ?

ବସ୍‍ରେ ତୁ’ତ ବୁଟ କି ପାମ୍ପଡ଼

ବୁଲି ବିକୁଥିଲୁ ପରା ?

 

ବୋଉ ମୋର ଥେଲା ଭାଜି ଦଉଥେଲା

ବିକୁଥେଲି ସିନା ନେଇ

ବାପା ତ କେବେଠୁ ମରିଯାଇଥିଲେ

ଅନାଥ ଗଲି ମୁଁ ହେଇ ।

 

ଦେଖିଲି ରାସ୍ତାରେ ଖୁସିରେ ଚଳନ୍ତି

କେତେ ଜୋତା ସଫା କରି

 

ପେଟ ପୋଷିବାରେ ଦୋଷ କ’ଣ ବାବୁ

ଏଇଠି ମୁଁ ବସିଗଲି ।

 

ବୋଉ କହିଥେଲା ଚୋରୀ କରିବୁନି

ଭିକ ମାଗିବୁନି ଜମା

ମେହେନତ କରି ପଇସା ଆଣିଲେ

ସୁଖରେ ଚଳିବୁ ସିନା ।

 

ଅ’ ଆ’ ବାବୁ ଶିଖିଥିଲି ପରା

ପଢ଼ିଥିଲି ଚକ, କଳ

ବୋଉ ମରିଗଲା ସବୁ ସରିଗଲା

ପାଇଲିନି ଥଳକୂଳ ।

 

ପଚାରିଲି ତାକୁ ପାଠ ତୁ ପଢ଼ିବୁ

କହିଲା, କୋଉଠି ବାବୁ

ମୁଁ କହିଲି କାଇଁ ଆମରି ଘରକୁ

ମୋରି ସାଥିରେ ଯିବୁ ।

 

କହିଲା ଆମ ଗାଁ ସୁରବାବୁ ପରା

ମୋ ପରି ଦି’ଜଣ ପିଲା

 

ଘରେ ରଖି କାମ କରାନ୍ତି ନିଇତି

ହେଲେଣି ସେ ଦରମଲା ।

 

ଗୁହାଳ ପୋଛିବା, ଘାସ କାଟିଯିବା

ଗୋରୁ ଚରେଇବା କାମେ

ମୋତେ ବାବୁ ନେଇ ରଖେଇବନି ତ

ଏତିକି ଭାବୁଛି ମନେ ।

 

କାମକୁ ଜମାରୁ ଡର ନାହିଁ ବାବୁ

ଖାଲି ଯା’ ପଢ଼ିବା ପାଇଁ

ଏତକ କହିଲି ରାଗିବନି ବାବୁ

କାନ ମୁଁ ଧରୁଛି ଏଇ ।

 

ଆ’ ଧନ କହି ଆଦରରେ ତାକୁ

କୋଳକୁ ଆଣିଲି ଭିଡ଼ି

କେଜାଣି କାହିଁକି ଆଖିରୁ ମୋ ଖାଲି

ଲୁହ ପଡ଼ୁଥିଲା ଝରି

 

ଶୁଖିଲା ପିଠି ତା’ ପିଇ ଯାଉଥିଲା

ଲୁହ ସବୁ କରି ଶେଷ

ଭାବୁଥିଲି ତାର ଶୁଖିଲା ମୁହଁରେ

ସତେ କି ଭରିବି ହସ ?

ସାନ ହେଲେ ବି ମନ ବଡ଼

ବସନ୍ତ ମଞ୍ଜରୀ ଦାସ

 

ସିଂହରାଜ ଦିନେ ଝିଅ ବିଭା ପାଇଁ

ଡାକିଲେ ଜରୁରୀକାଳୀନ ସଭା,

ଯେତେ ପଶୁଥିଲେ ଧାଇଁ ଧାପଡ଼ିଲେ

ଜଙ୍ଗଲରେ ନିଆଁ ଲାଗିଛି ଅବା ?

 

ପିମ୍ପୁଡ଼ିଙ୍କ ଧାଡ଼ି ପଛେ ଥିଲେ ପଡ଼ି

ସଭା ଥିଲା ଆଉ ଅଳପ ବାକି,

ସରମି ସରମି ସଭାରେ ବସିଲେ

ଅନ୍ୟ ପଶୁଗଣ ହସିଲେ ଦେଖି ।

 

ବିଲୁଆ କହିଲା ହସି କିଆଁ ଏତେ ?

ଛୋଟ ଜୀବ ତାଙ୍କଠାରେ କି କାମ ?

ଭୋଜି ଭାତ ଖାଇ ପେଟ ପୁରାଇବେ

ବଖାଣିବେ ଆମ ରାଜାଙ୍କ ନାମ ।

 

ଏତେ ଥଟ୍ଟା ଶୁଣି ପିମ୍ପୁଡ଼ି ରାଣୀ

ମୁହଁ ପଡ଼ିଗଲା ରାଗରେ ନାଲି,

ମନ୍ତ୍ରୀ ପିମ୍ପୁଡ଼ିଙ୍କୁ ଆଦେଶିଲେ ବେଗେ

ରାଜା କାନେ ପଶି କାମୁଡ଼ ଖାଲି ।

 

ରାଣୀ ଆଜ୍ଞା ପାଇ ରାଜା କାନେ ପଶି

କାମୁଡ଼ିଲେ ମନ୍ତ୍ରୀ ଥରକୁ ଥର,

କାଲୁବାଲୁ ହୋଇ ରାଜା ଡାକ ଦେଲେ

କେ ଅଛ ! ବିପଦୁଁ ଉଦ୍ଧାର କର ।

 

ଉପାୟ ପାଇଲେ ନାହିଁ ପଶୁଗଣ

ନୀରବେ ରହିଲେ ତଳକୁ ଚାହିଁ,

ପିମ୍ପୁଡ଼ି ରାଣୀଙ୍କୁ ବିନୟ ହୋଇଲେ

ଦୋଷାଦୋଷ ତାଙ୍କ କ୍ଷମିବା ପାଇଁ ।

 

ରାଣୀଙ୍କ ଆଦେଶେ ମନ୍ତ୍ରୀ ବାହାରିଲେ

ରାଜା ହାତଯୋଡ଼ି କହିଲେ ଭାଇ,

ସାନ ବଡ଼ ଆମେ ସଭିଁଏ ସମାନ

କେହି କା’ରେ ଥଟ୍ଟା କରିବା ନାହିଁ ।

 

ସଂସ୍କୃତ ଶିକ୍ଷୟିତ୍ରୀ

ହାଜିପୁର ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର

Image

 

ଜଙ୍ଗଲ ସୁରକ୍ଷା

ବ୍ରହ୍ମାନନ୍ଦ ନାୟକ

 

ଇସାନଗଡ଼ର ରାଜା ଧରମ ସିଂହ ମହାଆନନ୍ଦରେ ରାଜ୍ୟ ଶାସନ କରୁଥାଆନ୍ତି । ରାଜ୍ୟଟି ବଣ ଜଙ୍ଗଲ ଏବଂ ପାହାଡ଼ ପର୍ବତରେ ପରିପୂର୍ଣ୍ଣ । ରାଜ୍ୟର ପ୍ରଜାମାନେ ବି ମହାଆନନ୍ଦରେ କାଳାତିପାତ କରୁଥାଆନ୍ତି । କାହାରି କିଛି ଅସୁବିଧା ନ ଥାଏ । ଦିନକୁ ଦିନ ରାଜ୍ୟବାସୀଙ୍କର ସଂଖ୍ୟା ବୃଦ୍ଧି ଘଟିବାକୁ ଲାଗିଲା । ତା’ ସହିତ ଯୁଗର ମଧ୍ୟ ପରିବର୍ତ୍ତନ ଘଟିଲା । ଧିରେ ଧିରେ ଚୋରାବେପାରୀମାନେ ରାଜକର୍ମଚାରୀଙ୍କୁ ହାତ କରି ଜଙ୍ଗଲର ବହୁ ମୂଲ୍ୟବାନ ଗଛ କାଟି ସେହି କାଠସବୁ ଅନ୍ୟ ଦେଶକୁ ଚୋରାରେ ଚାଲାଣ କଲେ ଏବଂ ଅନେକ ସୁନ୍ଦର ସୁନ୍ଦର ପଶୁପକ୍ଷୀ ମାରି ମଧ୍ୟ ଚୋରାରେ ଚାଲାଣ କରିବାକୁ ଲାଗିଲେ । ଫଳରେ ରାଜ୍ୟରେ ଅନେକ ବିପତ୍ତି ଦେଖାଦେଲା । ଜଳବାୟୁର ପରିବର୍ତ୍ତନ ଘଟିବା ସାଙ୍ଗକୁ ମୃତ୍ତିକାକ୍ଷୟ ଘଟିଲା । ପାଗଯୋଗ ଠିକ୍‍ ରହିଲା ନାହିଁ । ରାଜ୍ୟରେ ଫସଲହାନି ଦେଖାଦେଲା । ରାଜ୍ୟବାସୀ ଅନେକ ହଇରାଣ ହରକତ ହେଲେ ।

 

ଏଣେ ଜଙ୍ଗଲ କ୍ଷୟ ହେବାରୁ ବଣର ପଶୁପକ୍ଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା । ସେମାନେ କେମିତି ବଞ୍ଚିବେ ଏବଂ କେଉଁଠି ଆଶ୍ରୟ ନେବେ, ତାହା ତାଙ୍କର ବଡ଼ ଚିନ୍ତାର ବିଷୟ ହେଲା । ଦିନେ ସେମାନେ ଗୋଟିଏ ସଭା ଡକାଇଲେ ଏବଂ ସମସ୍ତ ପଶୁପକ୍ଷୀ ଆସି ସଭାରେ ହାଜର ହେଲେ । ଜଙ୍ଗଲ ରଜା ସିଂହ ମହାଶୟ କହିଲେ ‘‘ଭାଇମାନେ, ଆଜିର ମାନବ ଆମପାଇଁ ଯେଉଁ ବିପଦ ଆଣିଦେଇଛି ତା’ର କିପରି ପ୍ରତିକାର କରାଯାଇପାରିବ ?’’ ଏହା ଶୁଣି ଉପସ୍ଥିତ ଥିବା ସମସ୍ତ ପଶୁପକ୍ଷୀ ଯେ ଯାହାର ମତପ୍ରକାଶ କରିଗଲେ ସତ କିନ୍ତୁ କାହାରି ମତାମତ ରାଜାଙ୍କ ମନକୁ ପାଇଲା ନାହିଁ । ଶେଷରେ ଗୋଟିଏ ବୁଢ଼ାବାଘ ଥାଇ କହିଲା, ‘‘ମହାରାଜ, ଏମିତି ଆମେ ମରିବା ଅପେକ୍ଷା ମାନବ ସହ ସଂଘର୍ଷ କରି ମରିବା ମୋ ମତରେ ଭଲ ।’’ ସିଂହ ମନକୁ କଥାଟା ବେଶ୍‍ ପାଇଗଲା । ସେ ସାଙ୍ଗେ ସାଙ୍ଗେ ସଭାରେ ଘୋଷଣା କରି କହିଲା, ‘‘ଭାଇମାନେ ବାଘମାମୁଁଙ୍କ କହିବା ଅନୁଯାୟୀ ମାନବ ସହିତ ସମସ୍ତେ ସଂଘର୍ଷ କରି ମରିବାକୁ ପ୍ରସ୍ତୁତ ହୁଅ । ମାନବ ଯେମିତି ଆମମାନଙ୍କର ଅନିଷ୍ଟ କରିଚାଲିଛି, ସେହିପରି ତୁମେମାନେ ଯାଇ ମାନବର ଅନିଷ୍ଟ କରିଚାଲ ।’’ ସେଇଆ ହେଲା । ତା’ ପରଦିନଠାରୁ ମାଙ୍କଡ଼ମାନେ ଗାଁ ଗହଳିମାନଙ୍କରେ ଯାଇ ନିଜର ରାଜ୍ୟବିସ୍ତାର କରି ମଣିଷର ବାଡ଼ି ବଗିଚାରେ ପନିପରିବା ଫଳମୂଳ ସବୁ ଖାଇ ନଷ୍ଟ କରିଚାଲିଲେ । ବଣର ଅନ୍ୟ ପଶୁପକ୍ଷୀମାନେ ଯାଇ ମଣିଷ ପାଳିଥିବା ପଶୁପକ୍ଷୀମାନଙ୍କୁ ମାରି ଖାଇଲେ ଏବଂ ଫସଲ ମଧ୍ୟ ଖାଇ ନଷ୍ଟ କଲେ । ଅନେକ ଲୋକ ପଶୁମାନଙ୍କର ଶିକାର ହେଲେ । ଅନେକ ପଶୁପକ୍ଷୀ ମଧ୍ୟ ମଣିଷର ଶିକାର ହେଲେ । ମାନବ ଏବଂ ପଶୁପକ୍ଷୀମାନଙ୍କ ମଧ୍ୟରେ ଚାଲିଲା ତୁମୁଳ ସଂଘର୍ଷ ।

 

ଜଙ୍ଗଲ ଏବଂ ପଶୁପକ୍ଷୀଙ୍କ ଅଭାବରୁ ରାଜ୍ୟରେ ଜଙ୍ଗଲଯାତ ଦ୍ରବ୍ୟ ମିଳିବା ବଡ଼ କଷ୍ଟସାଧ୍ୟ ହୋଇପଡ଼ିଲା । ରାଜ୍ୟର ପରିବେଶ ଠିକ୍‍ ନ ରହିବାରୁ ରାଜ୍ୟରେ ଅସମୟରେ ବନ୍ୟା ବାତ୍ୟା ଏବଂ ରୌଦ୍ରତାପର ମାତ୍ରା ବଢ଼ି ଚାଲିଲା । ତା’ ସହିତ ବିଭିନ୍ନ ପ୍ରକାର ରୋଗ ବୈରାଗ ମଧ୍ୟ ବଢ଼ି ବଢ଼ି ଚାଲିଲା । ରାଜ୍ୟର ରାଜା ବଡ଼ ଚିନ୍ତାରେ ପଡ଼ିଗଲେ ଏବଂ ତାର ପ୍ରତିକାରପାଇଁ ଗୋଟିଏ ସଭା ଡକାଇଲେ । ସଭାରେ ସ୍ଥିର ହେଲା, ବନ୍ୟା ବାତ୍ୟାରୁ ରକ୍ଷା ପାଇବାକୁ ହେଲେ କୋଠାଘର ନିହାତି ଦରକାର । ତେଣୁ ରାଜା ସଭାରେ ଘୋଷଣା କଲେ ଆମ ରାଜ୍ୟରେ ଆଉ ମୋଟେ ଚାଳଘର ରହିବ ନାହିଁ । ରାଜକୋଷରୁ କିଛି ଟଙ୍କା ପ୍ରଜାମାନଙ୍କୁ ଦିଆଯିବ । ସମସ୍ତ ପ୍ରଜା ନିଜର ଚାଳଘର ପରିବର୍ତ୍ତେ କୋଠାଘର କରି ନିଶ୍ଚିନ୍ତରେ ରହିବେ । ଏ କଥାକୁ ଯିଏ ଅମାନ୍ୟ କରିବ ତାକୁ ଦଣ୍ଡିତ ହେବାକୁ ପଡ଼ିବ । ତାହା ହିଁ ହେଲା ସତ ।

 

ଏହା ଫଳରେ ଦିନକୁ ଦିନ ବିପତ୍ତି ବଢ଼ି ଚାଲିଲା ସିନା କିନ୍ତୁ କିଛି ଲାଭ ହେଲା ନାହିଁ । ରାଜା ପୁଣି ବଡ଼ ଚିନ୍ତାରେ ପଡ଼ିଲେ । ଶେଷରେ ସେ ଘୋଷଣା କଲେ, ଏହାର ପ୍ରତିକାର କିଏ କହିପାରିବ ? ମନ୍ତ୍ରୀ ମହାଶୟ କହିଲେ, ‘‘ଏହାର ପନ୍ଥା କେବଳ ପରିବେଶବିତ୍‍ମାନେ ହିଁ ବାହାର କରିପାରିବେ ।’’ ରାଜାଙ୍କ ଅନୁମତିକ୍ରମେ ପରିବେଶବିତ୍‍ମାନଙ୍କୁ ଡକାଗଲା । ପରିବେଶବିତ୍‍ମାନେ ଆସି କହିଲେ, ‘‘ଏହାର ପ୍ରତିକାରପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଜଙ୍ଗଲ ସୃଷ୍ଟି ହେବା ନିହାତି ଆବଶ୍ୟକ । ଜଙ୍ଗଲ ସୁରକ୍ଷା ସାଙ୍ଗକୁ ପଶୁପକ୍ଷୀମାନଙ୍କ ସୁରକ୍ଷା ମଧ୍ୟ ନିହାତି ଦରକାର ।’’ ରାଜା ପ୍ରଶ୍ନ କଲେ, ‘‘ଏହାର ସୁରକ୍ଷା କିପରି ହୋଇପାରିବ ?’’ ସେମାନେ କହିଲେ, ‘‘ମହାଶୟ, ଯେଉଁଠି ବର୍ତ୍ତମାନ ଜଙ୍ଗଲ ଅଛି ଏବଂ ଯେଉଁଠି ସବୁ ନୂଆ ଜଙ୍ଗଲ ସୃଷ୍ଟି କରାଯିବ, ତା’ ନିକଟରେ ଥିବା ପ୍ରତ୍ୟେକ ଗ୍ରାମର ଗ୍ରାମବାସୀମାନଙ୍କୁ ଜଙ୍ଗଲର ସୁରକ୍ଷା ଦିଆଯିବା ଉଚିତ ହେବ ଏବଂ ସେଥିପାଇଁ ପ୍ରତିବର୍ଷକୁ ଥରେ ରାଜକୋଷରୁ ସେହି ଗ୍ରାମମାନଙ୍କୁ କିଛି ପ୍ରୋତ୍ସାହନ ଯୋଗାଇ ଦିଆଯିବା ଉଚିତ ହେବ । ଏହାକୁ ଯେଉଁ ଗ୍ରାମର ଲୋକ ଅମାନ୍ୟ କରିବେ, ସେହି ଗ୍ରାମକୁ ସମସ୍ତ ପ୍ରକାରର ସୁବିଧା ସହଯୋଗ ବନ୍ଦ କରାଯିବ ଏବଂ ସେମାନଙ୍କଠାରୁ ଦୁଇଗୁଣା ରାଜସ୍ୱ ଆଦାୟ କରାଯିବ ।’’ କଥାଟା ରାଜାଙ୍କ ମନକୁ ବେଶ୍‍ ପାଇଲା । ତା’ ପରଦିନ ରାଜା ମନ୍ତ୍ରୀ ମହାଶୟଙ୍କୁ ଡାକି ସାରା ରାଜ୍ୟରେ ଏ କଥାଟି ଘୋଷଣା କରାଇଦେଲେ । ରାଜା ଘୋଷଣା କରିଥିବା କଥାଟିକୁ ସାରା ରାଜ୍ୟବାସୀ ଅକ୍ଷରେ ଅକ୍ଷରେ ପାଳନ କଲେ । ଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ରାଜ୍ୟର ପୂର୍ବ ଅବସ୍ଥା ଫେରି ଆସିଲା । ପ୍ରଜାମାନେ ମହାଆନନ୍ଦରେ ଚଳିଲେ ।

 

ତେଣୁ ସମସ୍ତେ ନୂଆ ଗଛମାନ ଲଗାଇ, ଗଛ ପ୍ରତି ଏବଂ ପ୍ରତ୍ୟେକ ବଣ ଜଙ୍ଗଲର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ନିଶ୍ଚୟ ଆମର ଏବଂ ଆମ ଦେଶର ମଙ୍ଗଳ ହୋଇପାରିବ ।

 

ପଦାର୍ଥବିଜ୍ଞାନ ପ୍ରତିଷ୍ଠାନ

ଭୁବନେଶ୍ୱର -୭୫୧୦୦୫

Image

 

ଆମେ ସବୁ ଭାରତୀୟ

ନାଗୁ ଚରଣ ଦେବତା

 

ଯେଉଁଠାରେ ଥିଲେ ଯେଉଁଠି ରହିଲେ

ଯେଉଁଠି ବି ହେଲେ ଜନ୍ମ

ସଭିଏଁ ଆମେରେ ଏକଇ ସନ୍ତାନ

ଯିଏ ଯେତେ ଦେଇ ନାମ ।

ଭାରତମାତାର ପାଣି ପବନରେ

 

ଗଢ଼ା ତ ଆମ ଜୀବନ,

ଏକ ମାଆଠାରୁ ଜନମ ଲଭିଛେ

ଭାରତୀୟ ବୋଲି ଜାଣ ।

କିଏ ଡାକ ଦିଏ ଈଶ୍ୱର ହେ ରଖ

କିଏ ବା ଡାକେ ଆଲ୍ଲାଙ୍କୁ,

ଯୀଶୁଙ୍କୁ କେ ଡାକେ ରକ୍ଷାକର ବୋଲି

 

କିଏ ଆଏ ମନ୍ଦିରକୁ ।

କିଏ ପଢ଼ୁଥାଏ ଗୀତା ଭାଗବତ

କିଏ ପଢ଼େ ବାଇବେଲ,

ମସ୍‍ଜିଦରେ କେ କୋରାନ୍‍ ପଢ଼ଇ

 

କାହା ମୁଖେ ହରିବୋଲ ।

ସମସ୍ତେ ଅଟନ୍ତି ଗୋଟିଏ ଠାକୁର

ସବୁଥିରେ ଏକା ଲେଖା,

ସବୁ ଭାବନାର ମୂଳ ତ ଗୋଟିଏ

 

ତେଣୁ ଏତେ କିବା କଥା ।

ସବୁ ମଣିଷର ଶରୀରରେ ଯଦି

ଏକ ରକ୍ତ ପ୍ରବାହିତ,

ଏତେ ଭେଦାଭାବ କାହିଁକି କରିବା

 

ଏକତା ହୋଇବ ହତ ।

ଭେଦାଭେଦ ହିଂସା କପଟତା ଭୁଲି

ହୋଇବା ସମସ୍ତେ ଏକ,

ଶାନ୍ତି, ପ୍ରୀତି, ମୈତ୍ରୀ ଗୀତକୁ ଗାଇବା

 

ଶତ୍ରୁ ହେବ ପରାହତ ।

 

ଶିକ୍ଷକ, ବୃନ୍ଦାବନ ବିହାରୀ ହାଇସ୍କୁଲ,

ସା/ପୋ- ଗୋଡ଼ା, ଭା- ବୋରିକିନା,

ଜିଲ୍ଲା- ଜଗତସିଂହପୁର

Image

 

କିଏ ବଡ଼ ? ବିଜେତା ନା ଉଦାରତା

ସରୋଜ କୁମାର ବିଷୋୟୀ

 

ପୁରାଣ କାଳର କଥା । ସହସ୍ରାର୍ଜୁନ ଥିଲେ ଜଣେ ଅପ୍ରତିଦ୍ୱନ୍ଦୀ ଯୋଦ୍ଧା । ଦିନେ ସେ ଶିକାର କରିବାକୁ ବଣକୁ ଯାଇଥିଲେ । ଦେଖିଲେ ସନ୍ଧ୍ୟା ନଇଁ ଆସିଲାଣି । ଶିକାରର ନାଆଁ ଗନ୍ଧ କିଛି ନାହିଁ । ଏଣେ ତେଣୁ ବୁଲୁ ବୁଲୁ କ୍ଲାନ୍ତ ହୋଇପଡ଼ିଲେଣି । ଶିକାର ଅନ୍ୱେଷଣରେ ଅଜଣାତରେ ହଠାତ୍‍ ଜମଦଗ୍ନିଙ୍କ ଆଶ୍ରମରେ ପହଞ୍ଚିଗଲେ । ଦେଖିଲେ ଋଷି ଆଶ୍ରମର ଅପୂର୍ବ ଶୋଭା । ଋଷିଙ୍କ ଅମାୟିକ ବ୍ୟବହାରରେ ସନ୍ତୁଷ୍ଟ ହୋଇ ସେଠାରେ ସେ ଆତିଥ୍ୟ ହେବାକୁ ଇଚ୍ଛା କଲେ । ଋଷି ମଧ୍ୟ ଖୁସି ହୋଇ ସହସ୍ରାର୍ଜୁନ ଓ ତାଙ୍କର ସୈନ୍ୟବାହିନୀକୁ ଭୁରି ଭୋଜନ ଦେଲେ । କିନ୍ତୁ ସହସ୍ରାର୍ଜୁନଙ୍କ ମନରେ ଗୋଟିଏ ପ୍ରଶ୍ନ ଜାତ ହେଲା । ଏ ନିର୍ଜନ ସ୍ଥାନରେ ଜଣେ ଋଷି ଏତେଗୁଡ଼ିଏ ଭୋଜନ ସାମଗ୍ରୀ ପାଇଲେ କେଉଁଠୁ ? ଜଣେ ଋଷିଙ୍କ ପକ୍ଷରେ ଏତେ ଭୁରି ଭୋଜନ ଦେବା ସମ୍ଭବ ହେଲା କିପରି ? ଏପରି ଭାବି ଭାବି ରାତିଟି କଟିଗଲା ।

 

ଜମଦଗ୍ନିଙ୍କ ପ୍ରଗାଢ଼ ସାଧନା ଓ ସତ୍ୟନିଷ୍ଠକୁ ଦେଖି ଦେବରାଜ ଇନ୍ଦ୍ର ତାଙ୍କୁ ଏକ କାମଧେନୁ ଗାଈଟିଏ ଦେଇଥିଲେ । କାମଧେନୁ ହେଉଛି ଖାଦ୍ୟର ଭଣ୍ଡାର । ସମଗ୍ର ବ୍ରହ୍ମାଣ୍ଡକୁ ମଧ୍ୟ ଖାଦ୍ୟ ଯୋଗାଇ ଦେଇପାରିବ । ଯାହା ଫଳରେ ଜମଦଗ୍ନି ତାଙ୍କର ଆଗନ୍ତୁକ ଅତିଥିମାନଙ୍କୁ ଭୁରି ଭୋଜନ ଦେଇପାରୁଥିଲେ । ଏକଥା ସହସ୍ରାର୍ଜୁନ ଜାଣିପାରି ଅତି ଖୁସି ହେଲେ । ତାଙ୍କର ଲୋଭ ବଢ଼ିଲା । ମନେ ମନେ ସ୍ଥିର କଲେ କାମଧେନୁକୁ ନେଇଯିବାପାଇଁ । ଶେଷରେ ଗୋପନୀୟଭାବେ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ କାମଧେନୁକୁ ଅପହରଣ କରି ନେବାପାଇଁ ।

 

ରେଣୁକା ଥିଲେ ଜମଦଗ୍ନିଙ୍କ ସହଧର୍ମିଣୀ । ତାଙ୍କର ପତିବ୍ରତା ଓ ପରୋପକାରିତା ସର୍ବଜନ ବିଦିତ । ଏଣୁ ସେ ନିଜେ ସହସ୍ରାର୍ଜୁନଙ୍କ ରାଜଧାନୀ ମାହୀଷ୍ମତୀ ନଗରକୁ ଯାଇ କାମଧେନୁକୁ ଫେରାଇ ଦେବାପାଇଁ ରାଜାଙ୍କୁ ନିବେଦନ କଲେ । କିନ୍ତୁ ସହସ୍ରାର୍ଜୁନ ତାଙ୍କୁ ବଳପୂର୍ବକ ତଡ଼ି ବାହାର କରିଦେଲେ । ସହସ୍ରାର୍ଜୁନଙ୍କ ରାଜଶକ୍ତି ନିକଟରେ ଜମଦଗ୍ନି ନିଜକୁ ଅସହାୟ ମନେକଲେ ।

 

ଜମଦଗ୍ନିଙ୍କ ପୁତ୍ରମାନଙ୍କ ମଧ୍ୟରେ ପର୍ଶୁରାମ ଥିଲେ ପ୍ରବଳ ପରାକ୍ରମୀ । ଯେମିତି ଯୋଦ୍ଧା ସେମିତି କ୍ରୋଧୀ ମଧ୍ୟ । ମାତା ରେଣୁକାଠାରୁ କାମଧେନୁର ଅପହରଣ କଥା ଶୁଣି ତାଙ୍କର କ୍ରୋଧର ସୀମା ରହିଲା ନାହିଁ । ଭାବିଲେ ଏହି ପରଶୁଦ୍ୱାରା ସହସ୍ରାର୍ଜୁନଙ୍କୁ ହତ୍ୟା କରି କାମଧେନୁକୁ ଫେରାଇ ଆଣିବି । କିନ୍ତୁ ସେ ଥିଲେ ଜଣେ ପିତୃଭକ୍ତ । ପିତାଙ୍କ ଆଜ୍ଞା ପାଳନ କରିବା ଥିଲା ତାଙ୍କର ଶ୍ରେଷ୍ଠ ଧର୍ମ । ଏଣୁ ବିନା ଆଦେଶରେ ସେ ସହସ୍ରାର୍ଜୁନକୁ କିପରି ବଧ କରିବେ ? ଏହା ହିଁ ଥିଲା ତାଙ୍କପାଇଁ ବଡ଼ ପ୍ରତିବନ୍ଧକ ।

 

କାମଧେନୁର ଅପହରଣ ପରଠାରୁ ଜମଦଗ୍ନି ବଡ଼ ଚିନ୍ତିତ ହୋଇପଡ଼ିଲେ । କ’ଣ କରିବେ ? ପୁତ୍ରର ପରାକ୍ରମ ମଧ୍ୟ ଜାଣିଛନ୍ତି । ପୁତ୍ରର ପରାକ୍ରମ ନିକଟରେ ସହସ୍ରାର୍ଜୁନ ଟଳି ପଡ଼ିବ-। ଏଣୁ ବିନା ରକ୍ତପାତରେ ଅନୁନ୍ୱୟ ମାଧ୍ୟମରେ କାମଧେନୁ ଫେରାଇ ଆଣିବାପାଇଁ ପୁତ୍ର ପର୍ଶୁରାମକୁ ପରାମର୍ଶ ଦେଲେ । କିନ୍ତୁ ପିତାଙ୍କ ସବୁ ପରାମର୍ଶ ବୃଥା ହେଲା । କ୍ରୋଧାଗ୍ନିର ଦାବାନଳରେ ଜଳି ପର୍ଶୁରାମ କ୍ଷତ୍ରିୟ ବଂଶକୁ ନିପାତ କରିବାକୁ ଚେଷ୍ଟିତ ଥିଲେ ।

 

ସତକୁ ସତ କେଇଟା ଦିନ ମଧ୍ୟରେ ସହସ୍ରାର୍ଜୁନ ସହିତ କ୍ଷତ୍ରିୟ ବଂଶ ନିପାତ କରି ଦେଇ କାମଧେନୁକୁ ଆଣି ପିତାଙ୍କୁ ଅର୍ପଣ କଲେ । ଭାବିଲେ କାମଧେନୁକୁ ପାଇ ବାପା ଖୁସି ହେବେ । କିନ୍ତୁ ଜମଦଗ୍ନି କାମଧେନୁକୁ ପାଇ ବହୁତ ଦୁଃଖ ଅନୁଭବ କଲେ । ପୁତ୍ରର କ୍ଷତ୍ରିୟ ନରସଂହାର ତାଙ୍କର ହୃଦୟକୁ ଦୁଃଖରେ ଦଗ୍ଧିଭୂତ କରିଦେଲା । କାରଣ ବ୍ରାହ୍ମଣଙ୍କର ଶ୍ରେଷ୍ଠ ଧର୍ମ ଥିଲା- କ୍ଷମା ପ୍ରଦାନ କରିବା । କିନ୍ତୁ ପର୍ଶୁରାମ ତାହା ପାଳନ କରିନାହାନ୍ତି ।

 

ପର୍ଶୁରାମ ପିତାଙ୍କ ମହାନ୍‍ ଉଦାରତାକୁ ଅନୁଭବ କରି ତାଙ୍କୁ କ୍ଷମା ଭିକ୍ଷା କଲେ । ଶେଷରେ ପର୍ଶୁରାମ ମନସ୍ତାପ କରି ଆତ୍ମସମୀକ୍ଷା କଲେ । ପ୍ରକୃତରେ ବିଜେତାଠାରୁ ଉଦାରତା ଶତଗୁଣରେ ମହାନ୍‍ । ନିଜର ପାପକର୍ମର ପ୍ରାୟଶ୍ଚିତ ପାଇଁ ପିତାଙ୍କଠାରୁ ଅନୁମତି ନେଇ ପୃଥିବୀର ସମସ୍ତ ତୀର୍ଥସ୍ଥାନ ପର୍ଯ୍ୟଟନ କରି କଠୋର ତପସ୍ୟାରେ ମଗ୍ନ ହେଲେ ।

 

ଭାରପ୍ରାପ୍ତ ପ୍ରଧାନଶିକ୍ଷକ

ସିଆଳିଆ ଉପ୍ରା ବିଦ୍ୟାଳୟ

କବିସୂର୍ଯ୍ୟନଗର

ଗଞ୍ଜାମ -୭୬୧୧୦୪

Image

 

ଶ୍ରେଷ୍ଠ ଉପଦେଶ

ଶ୍ରୀମତୀ ସଂଯୁକ୍ତା ମହାପାତ୍ର

 

ବହୁଦିନ ପୂର୍ବର କଥା । ଦିନେ ଦେବ ଦେବ ମହାଦେବ ଓ ମା’ ପାର୍ବତୀ ଭ୍ରମଣରେ ବାହାରିଗଲେ । ବାଟରେ ବହୁ ନଦନଦୀ ପାହାଡ଼ ପର୍ବତ ଅତିକ୍ରମ କରି ଗଲାବେଳେ ଗୋଟିଏ ଅଗନାଅଗନ ବଣ ପଡ଼ିଲା । ସେଠାରେ ମା’ ପାର୍ବତୀ ଦେଖିଲେ କେତେଗୁଡ଼ାଏ ଲୋକ ଦଳଦଳ ହୋଇ ବୁଲୁଛନ୍ତି । ସେମାନଙ୍କର ବେଶ ପୋଷାକରୁ ଜଣାପଡ଼ୁଥାଏ ସେମାନେ କୁକାର୍ଯ୍ୟରେ ସମ୍ପୃକ୍ତ-। ଦେଖିଲେ ଭୟ ଲାଗୁଥାଏ । ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଲୋକମାନଙ୍କୁ ଭୟଭୀତ କରି ବଟି ଆଦାୟ କରିବା, ନିର୍ଦ୍ଦୟଭାବେ ହତ୍ୟା କରିବା, ନାରୀ ଓ ଶିଶୁଙ୍କୁ ନିର୍ଯ୍ୟାତନା ଦେବା ସେମାନଙ୍କର ନିତିଦିନିଆ କାର୍ଯ୍ୟ ।

 

ଏସବୁ ଦେଖି ଦେଖି ସେମାନେ ଆଉ ଗୋଟିଏ ଅଞ୍ଚଳରେ ପହଞ୍ଚିଲେ । ଜଣାପଡ଼ୁଥିଲା ସେଇଟି ସହରାଞ୍ଚଳ । ସେଠାରେ ଦେଖିଲେ ଲୋକମାନେ ଅତ୍ୟଧିକ ଆତ୍ମକୈନ୍ଦିକ । ନିଜର ସ୍ୱାର୍ଥପାଇଁ ପ୍ରାକୃତିକ ଜଙ୍ଗଲକୁ ନଷ୍ଟ କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରି ଚାଲିଛନ୍ତି । ଅର୍ଥ କୈନ୍ଦିକତା ହେତୁ ଗାଡ଼ି ମଟର, କଳ କାରଖାନା ବଢ଼ାଇ ଚାଲିଛନ୍ତି । ମାତ୍ରାଧିକ ବ୍ୟବହାର ହେତୁ ଜଳ, ମୃର୍ତ୍ତିକା, ବାୟୁ ସବୁ ଦୂଷିତ ହୋଇପଡ଼ୁଛି । ଯାନବାହାନର ବହୁତ ବ୍ୟବହାର ଯୋଗୁ କେଁ-କଟର ଶବ୍ଦରେ ମାତା ପାର୍ବତୀ ଓ ମହେଶ୍ୱରଙ୍କ କାନ ଫାଟି ପଡ଼ୁଥାଏ । ସେମାନେ ଦେଖିଲେ ସେ ଅଞ୍ଚଳର ଲୋକମାନଙ୍କର ସ୍ନାୟୁତନ୍ତ୍ରୀ ଦୁର୍ବଳ ହୋଇପଡ଼ିଥିଲା । ଚାରିଆଡ଼େ ରୋଗ, ଶୋକ ଓ ଅଶାନ୍ତି ।

 

ଏମିତି ଦେଖି ଦେଖି ସେମାନେ ଆଗକୁ ଆଗକୁ ଆଗେଇ ଚାଲିଲେ । କିଛିବାଟ ଯିବା ପରେ ଦେଖିଲେ ଗୋଟିଏ ସୁନ୍ଦର ଶାନ୍ତ କମନୀୟ ଅଞ୍ଚଳ । ଜଣାପଡ଼ୁଥାଏ ଗାଁ’ଟିଏ ହେବ । ସେଠାରେ ଲୋକମାନଙ୍କ ମଧ୍ୟରେ ପରଷ୍ପର ପ୍ରତି ସ୍ନେହ ପ୍ରେମ ମମତା ଭରି ରହିଥାଏ । ଜଣଙ୍କର ସୁଖଦୁଃଖକୁ ଅନ୍ୟମାନେ ନିଜର ଭାବି ବାଣ୍ଟି ନିଅନ୍ତି । ଜଣଙ୍କ ଘରେ କିଛି ସମସ୍ୟା ହେଲେ ଅନ୍ୟମାନେ ମିଳିମିଶି ତାର ସମାଧାନ କରନ୍ତି । ସେମାନଙ୍କର ଆଶା ଓ ଅଭାବକୁ ସୀମିତ ରଖୁଥିବାରୁ ସେଠାକାର ଜଳ, ବାୟୁ, ମୃର୍ତ୍ତିକା ପ୍ରାୟତଃ ଦୂଷିତ ହୋଇନଥାଏ । ଲୋକମାନେ ନିଜ କାମ ନିଜେ କରନ୍ତି ଓ ଶାରୀରିକ ପରିଶ୍ରମ ହେତୁ ବିଶେଷ ମାରାତ୍ମକ ରୋଗରେ ପୀଡ଼ିତ ହୋଇନଥାନ୍ତି । ସେ ଅଞ୍ଚଳରେ ଚୋରୀ, ଡକାୟତି ଓ ଭୟ ମଧ୍ୟ କମ୍‍ ଥାଏ । ଏମିତି ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ଦୃଶ୍ୟ ଦେଖି ଦେଖି ମା’ ଭବାନୀ ଶିବଙ୍କୁ ଏହାର କାରଣ ପଚାରିଲେ । ଦେବ ଦେବ ମହାଦେବ କହିଲେ, ‘‘ଏହା ‘ଦ’ ଓ ‘ଦା’ର କାରଣ ହେତୁ ହେଉଛି ।’’ ‘ଦ’, ‘ଦା’ କ’ଣ ବୁଝି ନ ପାରି ମାତା ସରଳଭାବେ ବୁଝାଇବାକୁ ଶିବଙ୍କୁ ଅନୁରୋଧ କଲେ । ମହାପ୍ରଭୂ ଆରମ୍ଭ କଲେ-

 

ସତ୍ୟଯୁଗର କଥା । ଥରେ ମଣିଷ, ଦେବତା ଓ ଅସୁରଙ୍କ ମଧ୍ୟରେ ଏକ ବିଚିତ୍ର ପ୍ରତିଯୋଗୀତା ହେଲା । ପ୍ରତିଯୋଗୀତା ହେଉଛି ଯେ କିଏ ସୃଷ୍ଟିକର୍ତ୍ତାଙ୍କଠାରୁ ଶ୍ରେଷ୍ଠ ଉପଦେଶ ଗ୍ରହଣ କରି ଏ ବିଶ୍ୱବ୍ରହ୍ମାଣ୍ଡରେ ଶ୍ରେଷ୍ଠ ହୋଇପାରିବ । ଶ୍ରେଷ୍ଠ ଇଚ୍ଛା ମନ ମଧ୍ୟରେ ରଖି ସେମାନେ ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ । ବ୍ରହ୍ମା ତ ତାଙ୍କ ଚାରିମୁଖରେ ବେଦ ଉଚ୍ଚାରଣ କରି ଚାଲିଥିଲେ, ଏମାନଙ୍କୁ ଏକାଠି ଦେଖି ଆସିବାର କାରଣ ପଚାରିଲେ । ସେମାନେ ମଧ୍ୟ ତାଙ୍କ ମନର ଇଚ୍ଛା ଖୋଲି କହିଲେ ଓ ପରମପିତାଙ୍କଠାରୁ ଶ୍ରେଷ୍ଠ ଉପଦେଶ ପାଇଲେ । ତାକୁ ଜୀବନରେ ଉପଯୋଗ କରି ନିଜ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବେ ।

 

ସେମାନଙ୍କର ଇଚ୍ଛା ଶୁଣି ବ୍ରହ୍ମଦେବ ପ୍ରଥମେ ଦେବତାମାନଙ୍କୁ ଡାକିଲେ । ବ୍ରହ୍ମା ଦେବତାମାନଙ୍କୁ ଜ୍ଞାନର କେବଳ ଗୋଟିଏ ଅକ୍ଷର କହିଲେ । ତାହା ହେଲା ‘ଦ’ । ସେଇ ଗୋଟିଏ ଅକ୍ଷର ‘ଦ’ରୁ ସେମାନେ ବୁଝିଗଲେ ପ୍ରକୃତ ଜ୍ଞାନ ହେଲା ଦମନ । ତେଣୁ ସେମାନେ ସେଇ ଶ୍ରେଷ୍ଠ ଜ୍ଞାନ ବଳରେ ଇନ୍ଦ୍ରିୟମାନଙ୍କୁ ଦମନ କରି ରଖିଲେ । ଇନ୍ଦ୍ରିୟମାନେ ସୁଖ ପାଇବାପାଇଁ ଲୋଭ, ମୋହ ଓ ଭୋଗର ପଥ ଅନୁସରଣ କରନ୍ତି । ଇନ୍ଦ୍ରିୟମାନଙ୍କ ଇଚ୍ଛା ଯେତେ ଅଧିକ ବଢ଼େ, ପାପ ସେତେ ଅଧିକ ହୁଏ । ଭୋଗବିଳାସୀ ପାଖରେ ପାପ ପୁଣ୍ୟର କିଛି ବାଛବିଚାର ନ ଥାଏ । ଦେବତାମାନେ ରିପୁ ଦମନର ଏହି ମହତ୍ତ୍ୱ ବୁଝିପାରି ଇନ୍ଦ୍ରିୟମାନଙ୍କୁ ଆୟତ୍ତରେ ରଖି ଚଳିଲେ । ଫଳରେ ସେମାନେ ସୁଖ ଶାନ୍ତି, ଦୟା କ୍ଷମା, ସ୍ନେହ ପ୍ରେମ ଇତ୍ୟାଦି ସେମାନଙ୍କ ମଧ୍ୟରେ ବିରାଜମାନ କଲା । ତେଣୁ ତାଙ୍କ ବାସସ୍ଥଳୀର ନାମ ସ୍ୱର୍ଗ ହେଲା ।

 

ଏହାପରେ ବ୍ରହ୍ମା ଶ୍ରେଷ୍ଠ ଉପଦେଶପାଇଁ ଅସୁରଙ୍କୁ ଡକାଇଲେ । ଅସୁରମାନଙ୍କ କାନ ପାଖରେ ଶ୍ରେଷ୍ଠ ଜ୍ଞାନର ସେଇ ଗୋଟିଏ ଅକ୍ଷର ‘ଦ’ କହିଲେ । ଅସୁରମାନେ ‘ଦ’ର ଅର୍ଥ ବୁଝିଲେ ଦୟା । ମାତ୍ର ସ୍ୱଭାବ ବଶତଃ ଅସୁରମାନେ ନିର୍ଦ୍ଦୟ । ଅନ୍ୟମାନଙ୍କ ଉପରେ ଅତ୍ୟାଚାର ବଳରେ ସେମାନେ ଆନନ୍ଦ ପାଆନ୍ତି । ତେଣୁ ବ୍ରହ୍ମାଙ୍କର ଉପଦେଶ ନ ମାନି ତାଙ୍କ ସ୍ୱଭାବରେ ଅତ୍ୟାଚାର ଆରମ୍ଭ କରିଦେଲେ । ନିଜ ଅହମିକାରେ ଦୟା ଶବ୍ଦକୁ ଭୂଲିଗଲେ । ତେଣୁ ଭଗବାନ ବାରମ୍ୱାର ଅବତାର ଗ୍ରହଣ କରି ସେମାନଙ୍କୁ ଧ୍ୱଂସ କଲେ ।

 

ଶେଷରେ ନର ବା ମଣିଷମାନଙ୍କର ପାଳି ପଡ଼ିଲା । ବ୍ରହ୍ମା ସେଇ ଗୋଟିଏ ଅକ୍ଷର ‘ଦ’ ଉପଦେଶ ଦେଲେ । ଜ୍ଞାନର ଅର୍ଥ ‘ଦ’ରୁ ସେମାନେ ବୁଝିଲେ ଦାନ । ମନୁଷ୍ୟମାନେ ତ ସ୍ୱଭାବ ବଶତଃ ଲୋଭୀ । ତେଣୁ ସେମାନେ ନିଜ ବିଷୟରେ ଅଧିକରୁ ଅଧିକ ଚିନ୍ତା କରି ଅର୍ଥ ସଞ୍ଚୟରେ ଲାଗିପଡ଼ିଲେ । ସବୁ ଜିନିଷକୁ ମୋର ମୋର କହି, ନିଜ ନିଜର ଅଧିକାର ସାବ୍ୟସ୍ତ କରନ୍ତି । ଅତ୍ୟଧିକ ସଞ୍ଚୟ ଇଚ୍ଛା ହେତୁ, କେତେକ କୃପଣ ହୋଇପଡ଼ିଲେ । ସେମାନେ ନିଜର ସଞ୍ଚିତ ଅର୍ଥ ତ ଅନ୍ୟକୁ ଦିଅନ୍ତି ନାହିଁ, ନିଜେ ମଧ୍ୟ ଉପଭୋଗ କରିନପାରି ମରିଯାଆନ୍ତି । ତାଙ୍କର କୃପଣ ପଣିଆ ହେତୁ ଧନ ଅର୍ଜନପାଇଁ ନା-ନା କୁ କର୍ମ କରନ୍ତି । ଫଳରେ ପାପ ଅର୍ଜନ କରି ବାରମ୍ୱାର ମନୁଷ୍ୟ ଜନ୍ମ ହୋଇ ନା-ନା ଦୁଃଖ କଷ୍ଟ ଭୋଗ କରନ୍ତି ।

 

ବଳକା ଧନ ଦୁଃଖୀ-ଦରିଦ୍ରଙ୍କୁ ବିତରଣ କଲେ ଧନର ସଦୁପଯୋଗ ହୁଏ । ଦାନଦ୍ୱାରା ପୁଣ୍ୟ ଅର୍ଜନ ହୁଏ । ପୁଣ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ସଞ୍ଚିତ ଧନର ଆକାରଠାରୁ ବହୁଗୁଣରେ ଅଧିକ ହୋଇଥାଏ । ଦୁଃଖୀର ଦୁଃଖ ଦୂର କରି ପାରିଲେ ଯେଉଁ ଆନନ୍ଦ ମିଳେ, ତାହା ସଂସାରରେ ସବୁଠାରୁ ମୂଲ୍ୟବାନ ହୋଇଥାଏ ।

 

ବ୍ରହ୍ମାଙ୍କର ଉପରୋକ୍ତ ତିନୋଟି ଉପଦେଶ ଯଥା- ଦୟା, ଦାନ, ଇନ୍ଦ୍ରିୟଦମନ ଥିଲା ଶ୍ରେଷ୍ଠ ଉପଦେଶ । ମଣିଷ, ଦେବତା ଅଥବା ଅସୁର ହୁଅନ୍ତୁ, ଯିଏ ଇନ୍ଦ୍ରିୟଦମନ କରି, ଅନ୍ୟପ୍ରତି ଦୟାଭାବ ଦେଖାଇ ଦାନ କରେ, ତାର ଜୀବନ ଶ୍ରେଷ୍ଠ ଓ ସାର୍ଥକ ହୁଏ । ଇନ୍ଦ୍ରିୟକୁ ଯିଏ ସ୍ୱଆୟତ୍ତରେ ରଖିପାରେ, ସେ ଦେବତା ହୋଇ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରେ । ଯିଏ ଇନ୍ଦ୍ରିୟକୁ ଅଣଆୟତ୍ତରେ ରଖେ ସେ ଆସୁରିକ ଭାବ ପ୍ରଦର୍ଶନ କରେ । ଯିଏ ସ୍ନେହ ପ୍ରେମ ଦୟାଭାବ ପ୍ରଦର୍ଶନ କରେ, ସେ ସୁଖରେ କାଳାତିପାତ କରେ । ଅନ୍ୟଥା ରୋଗ ଶୋକ ଦୁଃଖ ଅଶାନ୍ତିରେ ମରେ ।

 

ଶିବଙ୍କଠାରୁ ମା’ ଭବାନୀ ଶ୍ରେଷ୍ଠ ଉପଦେଶର ଜ୍ଞାନ ‘ଦ’ ଓ ‘ଦା’' କଥା ଜାଣି ଅତ୍ୟନ୍ତ ଆନନ୍ଦିତା ହେଲେ । ପୃଥିବୀର ସବୁ ମଣିଷ ଗୋଟିଏ ପ୍ରକାର ନ ହୋଇ, ଜୀବନ ଗୋଟିଏ ଭାବରେ ନ କଟାଇ ପାରି, ଭିନ୍ନତା ସୃଷ୍ଟି କରୁଛି । ତାହା ସ୍ପଷ୍ଟ ହୋଇଗଲା ।

 

ଶିକ୍ଷୟିତ୍ରୀ

ବ୍ୟାସନଗର ଉଚ୍ଚ ବିଦ୍ୟାଳୟ

ଯାଜପୁରରୋଡ଼

Image

 

ମାମା ଓଠ

ପ୍ରତିଭାରାଣୀ ରାୟ

 

ମାମା ଓଠେ ଖିଲି ଖିଲି ହସ ଲାଗେ ମଧୁର

 

କୁନି ପୁଅ ମୁହେଁ ଗୁଲୁଗୁଲୁ କଥା ଶୁଭେ ସୁନ୍ଦର ।

ବାଇ ଚଢ଼େଇର ବସା ଭାରି ଜବର

 

ବୁଢ଼ିଆଣୀ ବସା ସତେ କେଡ଼େ ସୁନ୍ଦର ।

 

ଭୋ ଭୋ ହୋଇ ଭାଲୁ ଚୋରକୁଟି ଜଗଇ

 

ପାଠ ନ ପଢ଼ିଣ ମିନୁ କାନ୍ଦୁଥାଏ ସକେଇ ।

ଧିରେ ଧିରେ ଗଣିତକୁ ମନେ ମନେ ହେଜିବା

 

ତର ତର ହୋଇ ପରା ସାହିତ୍ୟକୁ ଘୋଷିବା ।

 

ଠୋ ଠା କରି ଇଂରାଜୀକୁ ଉଚ୍ଚାରଣ କରିବା

 

ଛବିଶିଟି ଅକ୍ଷରକୁ ମନେ ମନେ ହେଜିବା ।

ଇତିହାସ ଭୂଗୋଳ ତ ଭାରି ଭଲ ଲାଗଇ

 

ବୁଲି ବୁଲି ଘୋଷିଲେ ତ ସବୁ ମନେ ରୁହଇ ।

 

ବ୍ୟାକରଣ ବହିଟିକୁ ପଢ଼ିଦେଲେ ଦି'ଥର

 

ମନେ ସବୁ ରହିଯାଏ ଓଡ଼ିଆ ତ ଆମର ।

ଫୁଲ ଚୁଇଁ ଚଢ଼େଇର ଉଡ଼ା ଭଲ ଲାଗଇ

 

ବଡ଼ ହେଲେ ଦେଶ ପାଇଁ କରିବ ତ ଲଢ଼େଇ ।

 

କୁହୁକୁହୁ କୋଇଲିର ଗୀତ ଭଲ ଲାଗଇ

 

ନେତା ଅଭିନେତା ହେବା କଠିନ ତ ନୁହଁଇ ।

ଟିକି ଶୁଆଟିର ନାଲି ଥଣ୍ଟ କେଡ଼େ ସୁନ୍ଦର

 

କୁନି କୁନି ପିଲା ସତେ ହୋଇବ ତ ଡାକ୍ତର ।

 

ଯନ୍ତ୍ରୀ, କଳାକାର, କାରିଗର ଯେ ହୋଇବ

 

ବାସ ମହକାଇ ଦେଶ ସେବାରେ ତ ଲାଗିବ ।

ଜନ, ଜଳ, ଜମି, ଜନ୍ତୁ ଓ ଜଙ୍ଗଲ ଏ କଥାଟି ମନେ ରଖିବ

 

ଏହି ପାଞ୍ଚଟିର ସେବା ତ କରିଲେ ଦେଶର ସମୃଦ୍ଧି ବଢ଼ିବ ।

 

ଜଗତସିଂହପୁର ନାଁ'କୁ ରଖିବ ସବୁଥିରେ ବଡ଼ ହୋଇବ

 

ବାଣୀକ୍ଷେତ୍ର ବୋଲି ରାଜ୍ୟେ ପରିଚିତ ମନରେ ଯେପରି ରହିବ ।

ଗୀତରେ ଗୀତରେ କଥା କହୁ କହୁ ସମୟ ତ ସରିଯାଉଛି

 

ନାମ ଓ କାମରେ ସମତା ରଖିବ ପ୍ରତିଭାରାଣୀ ତ ଭାଷୁଛି ।

 

ଧଳତଙ୍ଗଗଡ଼

ପୁରୁଣାବସନ୍ତ,

ନାଲିବର, ଜଗତସିଂହପୁର

 

ସତ୍‍କର୍ମର ଫଳ

ଶ୍ରୀ ନଗେନ୍ଦ୍ରନାଥ ସ୍ୱାଇଁ

 

ସାତ ଆଠ ବର୍ଷର ପିଲାଟିଏ । ପଶ୍ଚିମବଙ୍ଗଳାର କେଉଁ ଏକ ଅଜଣା ଗାଁରେ ତା’ର ଜନ୍ମ-। ବାପା ତା’ର ନିହାତି ଗରିବ ଲୋକ । ରେଳଲାଇନର ମରାମତି କରେ । ଯେଉଁ ମଜୁରୀଗଣ୍ଡାକ ମିଳେ ସେଥିରେ ପରିବାର ଚଳେ । ଏଇ ଛୋଟ ପୁଅଟି କିଛି ଗାଈ ନେଇ ଚରାଏ ଏବଂ ବାପା ପାଖକୁ ଖାଇବାକୁ ନେଇଯାଏ । ଏଇ ହେଉଛି ପିଲାଟିର ନିତିଦିନିଆ କାମ । ପିଲାଟି କିନ୍ତୁ ଭାରି ବୁଦ୍ଧିଆ । ରେଳଲାଇନ ମରାମତିବେଳେ ସେ ବାପା ପାଖରେ ଠିଆ ହୋଇ ଖୁବ୍‍ ଧ୍ୟାନ ଦେଇ ଲକ୍ଷ୍ୟ କରେ । ଅନ୍ୟମାନଙ୍କ କଥାକୁ ଶୁଣେ । ସେ ଶୁଣିଥିଲା ଯେ ନାଲି ପତାକା ହଲାଇଲେ ରେଳଗାଡ଼ି ଅଟକେ ।

 

ଦିନକର କଥା । ପିଲାଟି ଗାଈ କେତୋଟି ନେଇ ରେଳଲାଇନ ନିକଟରେ ଚରାଉଥିଲା-। ହଠାତ୍‍ ତା’ର ନଜର ପଡ଼ିଲା ରେଳଲାଇନ ଉପରେ । ଦେଖିଲା ଯେ ଲାଇନ୍‍ରୁ ପ୍ଲେଟଗୁଡ଼ିକୁ କିଏ ଉଠାଇ ନେଇଛି । ମୁଣ୍ଡ ତା’ର ଚକର କାଟିଲା । ଦୂରରୁ ଗୋଟିଏ ଟ୍ରେନ୍‍ ଆସିବାର ଶବ୍ଦ ଶୁଭୁଥିଲା-। ପିଲାଟି ଜାଣିଥିଲା ରେଳଲାଇନରେ ପ୍ଲେଟ ନ ଥିଲେ ରେଳଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବ । ତେଣୁ ହଠାତ୍‍ ସେ ପିନ୍ଧିଥିବା ନାଲିଆ ରଙ୍ଗର ପ୍ୟାଣ୍ଟଟିକୁ ଓହ୍ଲାଇ ପକାଇଲା-। ଲଙ୍ଗଳା ହୋଇ ହାତରେ ଧରିଥିବା ଗାଈଜଗା ବାଡ଼ିଟିରେ ପ୍ୟାଣ୍ଟଟି ଟାଙ୍ଗି ହଲାଇଲା । ଯେମିତି ରେଳଫାଟକ ଜଗୁଆଳି ନାଲି ପତାକା ହଲାଏ । ତା’ର ଖୁବ୍‍ ନିକଟରେ ଗୋଟିଏ ପ୍ୟାସେଞ୍ଜର ଟ୍ରେନ । ଆଉ ଅଳ୍ପ ସମୟ ପରେ ଟ୍ରେନ୍‍ଟି ବିପଦ ଥିବା ଯାଗାରେ ପହଞ୍ଚିବ, ଶହ ଶହ ଜୀବନ ଚାଲିଯିବ । ପିଲାଟି ଏ କଥା ଭାବି ବାଡ଼ିଟିକୁ ଜୋରରେ ହଲାଇବାକୁ ଲାଗିଲା । ପିଲାଟି ଏ ନାଲିଆ କପଡ଼ା ହଲାଉଥିବାର କଥା ଟ୍ରେନ୍‍ ଚାଳକ ଦେଖିଲେ । ସେ ଭାବିନେଲେ ଆଗରେ ନିଶ୍ଚୟ କିଛି ବିପଦ ଅଛି । ନ ହେଲେ ଏତେ ଛୋଟ ପିଲାଟି କାହିଁକି ନାଲି କପଡ଼ା ହଲାଇବ ? ତେଣୁ ସେ ହଠାତ୍‍ ବ୍ରେକ୍‍ ମାରିଲେ । ଧିରେ ଧିରେ ଯାତ୍ରୀବାହୀ ରେଳଗାଡ଼ିଟି ପ୍ଲେଟ ନ ଥିବା ଲାଇନର ଠିକ୍‍ ଅଳ୍ପ ଦୂରରେ ରହିଗଲା । ଯେତେବେଳେ ଜଣାଗଲା ଏତେ ଜୀବନ ପିଲାଟିପାଇଁ ରହିଗଲା ସମସ୍ତେ ପିଲାଟିକୁ ଖୁସିରେ କୁଣ୍ଢାଇ ପକାଇଲେ । ପିଲାଟିର ବୁଦ୍ଧି ଏବଂ ସାହାସପାଇଁ ସମସ୍ତେ ସାବାସୀ ଦେଲେ । ଏ ଖବର ସାରା ଦେଶରେ ବିଜୁଳି ବେଗରେ ପ୍ରଚାର ହେଲା । ଅପୂର୍ବ ସାହାସିକତା ପାଇଁ ପିଲାଟିକୁ ପୁରସ୍କୃତ କରାଗଲା । ପିଲାଟି ପାଠପଢ଼ିଲା । ସମୟକ୍ରମେ ଲୋକମାନେ ଏକଥା ଭୁଲିଗଲେ ।

 

ପିଲାଟି ସରକାରୀ ସାହାଯ୍ୟରେ ପାଠ ପଢ଼ିଲା । ପାଠ ପଢ଼ିସାରି ବିଚରା ଚାକିରୀ ଖଣ୍ଡେପାଇଁ ଏ ଅଫିସ ସେ ଅଫିସ ବୁଲି ବୁଲି ନିରାଶ ହୋଇଗଲା । ଯେଉଁ ପିଲାଟିପାଇଁ ସେଦିନ ହଜାର ହଜାର ମଣିଷ ବଞ୍ଚିଗଲେ ଆଜି ବିଚାରା ସେ ନିଜକୁ ବଞ୍ଚାଇବାପାଇଁ ବହୁତ କଷ୍ଟ ସହୁଛି । ଚାକିରୀ କରିବା ବୟସ ତା’ର ସରି ଆସୁଥାଏ । ଘରେ ବୁଢ଼ାବାପା ମାଆ । କ’ଣ କରିବି କ’ଣ କରିବି ଭାବି ଭାବି ପିଲାଟି ବିଚାରା ପାଗଳ ପରି ହେଉଥାଏ । ଦିନେ କ’ଣ ହେଲା ନା, ସେ ରହୁଥିବା ଅଞ୍ଚଳକୁ ଆମର ବର୍ତ୍ତମାନର ରେଳମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜୀ ସଭା କରିବାପାଇଁ ଆସିଥାନ୍ତି । ପିଲାଟି ଭାବିଲା ଶେଷ ଚେଷ୍ଟା କରିବ । ତାର ନିଜ ବିଷୟରେ ସବୁକଥା ଗୋଟାଏ କାଗଜରେ ଲେଖି ମନ୍ତ୍ରୀଙ୍କୁ ଦେଖା କରିବାପାଇଁ ଗଲା । ହେଲେ ପୋଲିସ୍‍ବାବୁମାନେ ମନ୍ତ୍ରୀଙ୍କ ପାଖକୁ ଛାଡ଼ିଲେନି । ବହୁ ଅନୁରୋଧ ପରେ ସେମାନଙ୍କ ଦୟା ହେଲା । ପିଲାଟି ମନ୍ତ୍ରୀଙ୍କୁ ଦେଖାକରି ଦରଖାସ୍ତଟି ଦେଲା । ଯେଉଁଥିରେ ସେ ତା’ ପିଲାଦିନେ କରିଥିବା କାମ ବିଷୟରେ ଲେଖିଥିଲା । ମନ୍ତ୍ରୀ ଦରଖାସ୍ତ ପଢ଼ି ରଖିଲେ । ପିଲାଟି ବିଚାରା ନିରୁପାୟ ହୋଇ ଫେରିଲା । ଆଶାଶୂନ୍ୟ ହୋଇ ବସିଥାଏ । ଭାବିନେଲା ତା’ ଭାଗ୍ୟରେ ଚାକିରୀ ଆଉ ନାହିଁ ।

 

କିନ୍ତୁ ସତ୍‍କର୍ମର ପୁରସ୍କାର ସବୁବେଳେ ଅଛି । ଏଇ ନୂଆବର୍ଷରେ ମାଟିଆ ରଙ୍ଗର ଚିଠିଟି ତା’ ଠିକଣାରେ ଆସିଲା ଏବଂ ପିଲାଟି ଯେତେବେଳେ ଖୋଲି ପଢ଼ିଲା ସେତେବେଳେ ତା’ର ଆନନ୍ଦର ସୀମା ରହିଲା ନାହିଁ । ଚିଠିଟି ଥିଲା ରେଳ ବିଭାଗର ସରକାରୀ ଚିଠି । ପିଲାଟିର ଚାକିରୀ କରିବାପାଇଁ ସରକାରୀ ନିର୍ଦ୍ଦେଶ । ରେଳମନ୍ତ୍ରୀଙ୍କର ପିଲାଟିକୁ ତା’ର ଅତୀତ କର୍ତ୍ତବ୍ୟପାଇଁ ଗୋଟିଏ ଭଲ ଚାକିରୀର ନୂଆବର୍ଷ ଉପହାର । ତାହା ସତ୍‍କର୍ମର ଫଳ ।

 

ସମ୍ପାଦକ

‘‘ଶରତ ସାହିତ୍ୟ ସଂସଦ’’

ସାହାଡ଼ା, ଜାନକାଦେଇପୁର,

ବୋରିକିନା

ଜଗତସିଂହପୁର

Image

 

ଫଗୁଣ ଆସେ

ରମେଶ କୁମାର ସାହୁ

 

ଫଗୁଣ ଆସେ ବଉଳ ବାସେ

 

କୋଇଲି ଗାଏ ଗୀତ,

ମଳୟ ବହେ ମାଟି ମା' ହସେ

 

ଧରାରୁ ଯାଏ ଶୀତ ।

 

 

ଯାଏରେ ଶୀତ ଆସେ ବସନ୍ତ

 

ପୁରୁଣା ପତ୍ର ଝଡ଼େ,

ନୂଆ ପତ୍ରରେ ଗଛ ଓ ଲତା

 

ଭାରି ସଅଳ ବଢ଼େ ।

 

 

କୃଷକ ଭାଇ ଖୁସି ହୁଅଇ

 

ଭଲ ହୋଇଛି ଧାନ,

ଦୋଳ ପରବ ପାଳିବ ସିଏ

 

ନାଚି ଉଠେ ତା’ ମନ ।

 

 

ପିଲାଏ ଖୁସି ଯାଆନ୍ତି ମିଶି

 

ହେଲାଣି ଦୋଳ ଛୁଟି,

ମେଲଣ ଯିବେ ଭୋଗ ଖାଇବେ

 

ହୋଇବେ ଭେଟାଭେଟି ।

 

 

ରାଧାଗୋବିନ୍ଦ ଗୋପର ଚାନ୍ଦ

 

ବିମାନେ ଝୁଲି ଝୁଲି

ଭୋଗ ଖାଇବେ ଘରକୁ ଘର

 

ଅବିର ରଙ୍ଗ ବୋଳି ।

 

 

ସରିଲେ ଦୋଲ ହୋଲିର ଖେଳ

 

ସଭିଏଁ ଯାଉ ମିଶି,

ବାର ମାସରେ ତେର ପରବ

 

ପାଳୁ ଓଡ଼ିଶାବାସୀ ।

 

ସଙ୍କେତପାଟଣା,

ସଅଁରା

ନାଲିବର

ଜଗତସିଂହପୁର

Image

 

ଭାଗ୍ୟଦେବୀ ଅନୁକୂଳ ସଦା ଉଦଯୋଗୀର

ଜେନାମଣି ଲକ୍ଷ୍ମୀକାନ୍ତ

 

ଅନେକରେ ଏକ ପିଲାଟିଏ । ପିଲା ନୁହେଁ ହୀରା ସିଏ । ଆଜିଠୁ ପ୍ରାୟ ୪୪୫ ବର୍ଷ ତଳେ ବିଲାତ ସହରର ଉପକଣ୍ଠ କ୍ରୀଷ୍ଠଫୋର୍ଡ଼ ଅନ୍‍ଏଡୋନେ ପଲ୍ଲୀରେ ପିତା ଜନ୍‍ ଆଉ ମାତା ମେରୀ ଆରଡେନଙ୍କ ଔରସରୁ ସେଦିନ ଯେଉଁ ପିଲାଟି ଜନ୍ମଗ୍ରହଣ କରିଥିଲା- ନାଆଁ ତା’ର ଥିଲା ‘‘ଉଇଲିୟମ ସେକ୍ସପିୟର’’ । ଆଉସବୁ କୋମଳମତି ପିଲାଙ୍କ ପରି ସେଇ ଥିଲା ଖେଳପ୍ରିୟ । ହେଲେ ପାଠ ପଢ଼ାପଢ଼ି ପ୍ରତି ତା’ର ସେତେ ନିଘା ନ ଥିଲା । ପ୍ରାଥମିକ ବିଦ୍ୟାଲୟରେ ପଢ଼ିଲାବେଳେ ତା’ର ଜଣେ ଶ୍ରେଣୀ ଶିକ୍ଷକ ତାକୁ କହିଥିଲେ- ‘‘ବାଳକ ! ମୁଁ ଯାହା ଦେଖୁଛି ତୋର ଭବିଷ୍ୟତ ଏକବାର ଅନ୍ଧାର ।’’

 

ସବୁ ଅଚେତା ଚଢ଼େଇକୁ ବେଷରବଟା- ଭବିଷ୍ୟବାଣୀ ସତ ହୁଏନା । ଏକଥା ବୋଧହୁଏ ସେଇ ଶିକ୍ଷକ ମହାଶୟଙ୍କୁ ମାଲୁମ ନ ଥିଲା । ପ୍ରାଥମିକ ବିଦ୍ୟାଳୟର ସେଇ ଉଦାସୀନ, ପଢ଼ାପଢ଼ିରେ ଅମନଯୋଗୀ ପିଲାଟି ପରବର୍ତ୍ତୀ ଜୀବନରେ ନିଜର ଭବିଷ୍ୟତ ନୁହେଁ, ସମଗ୍ର ବିଶ୍ୱର ମୁଖୋଜ୍ୱଳ କରିବାରେ ଆପଣାର କୃତୀତ୍ୱ ପ୍ରତିପାଦିତ କଲେ ।

 

ନିୟତିର ବିଡ଼ମ୍ୱନା ଭାରି ନିଷ୍ଠୁର । ଖୁବ୍‍ ଅଳ୍ପ ବୟସରେ ପିଲାଟି ନିଜ ବାପାଙ୍କୁ ହରାଇ ବସିଥିଲା । ବାଳୁତ ବୟସରେ ପରିବାରର ଭରଣ ପୋଷଣର ଗୁରୁ ବୋଝ ତାଙ୍କ କାନ୍ଧରେ ଲଦା ହୋଇଗଲା । ଏତେ ଝମିଲା କାମ କେମିତି ତୁଲାଇବେ । ସେ କଥା ଭାବି ଭାବି ବାଳୁତ ସେକ୍ସପିୟର ବହୁ ସମୟରେ ଉଦାସୀନ ରହୁଥିଲେ । ସେତେବେଳେ ତାଙ୍କୁ କିଛି ବୁଦ୍ଧି ବାଟ ଦିଶୁ ନ ଥିଲା । ସେ ପଢ଼ି ବସୁଥିଲେ । ଦିନେ ସିଏ ବାଇବେଲ ପଢ଼ୁଥିବାବେଳେ ବାଇବେଲର କେତୋଟି ଧାଡ଼ି ତାଙ୍କ ଆଖିରେ ପଡ଼ିଲା । ମନକୁ ତାହା ଖୁବ୍‍ ପାଇଲା ଓ ମନ ଲଗାଇ ତାହାକୁ ଏକାଧିବାର ପଢ଼ିଲେ । ତାହା ଥିଲା- ‘‘କୌଣସି କାମ ବଡ଼ ଅଥବା ଛୋଟ ନୁହେଁ କି ମହତ ଅବା ନିଉନ ନୁହେଁ । ଯେକୌଣସି କାମ ନିଷ୍ପାଦନ ଦାୟିତ୍ୱ ମିଳିଲା କ୍ଷଣି ତାହା ସୁଚାରୁରୂପେ କରିବା ଉଚିତ । ମନଦେଇ ନିଷ୍ଠାର ସହ କରିବା ଚାଲିଲେ ଦେଖିବ କାର୍ଯ୍ୟର ସଫଳ ନିଷ୍ପାଦନ ଉତ୍ତାରୁ ସଫଳତା ଛାଁଏ ଆସି ତୁମ ପାଦ ଛୁଇଁବ ।’’

 

ବାଇବେଲର ଏହି ମହତବାଣୀରୁ ତାଙ୍କୁ ଅଶେଷ ପ୍ରେରଣା ମିଳିଲା । ଏଠି ସେଠି ବହୁ ଯାଗା ବୁଲିବା ପରେ ଗୋଟିଏ ନାଟକ କମ୍ପାନୀର ଟାଙ୍ଗା-ଘୋଡ଼ାମାନଙ୍କର ଲାଳନ ପାଳନ କାମକୁ ହାତେଇ ନେଲେ । ନାଟକ କମ୍ପାନୀଙ୍କର ୫ଟି ଘୋଡ଼ାଙ୍କୁ ଖୁଆଇବା, ଗାଧୋଇବା ଆଦି କାମ କଲା ଉତ୍ତାରୁ ନିକିମା ସମୟରେ ସେକ୍ସପିୟର ଦି’ଅକ୍ଷର ପଢ଼ିବାରେ ମନୋନିବେଶ କରିବାରେ ଲାଗିଲେ-। ସେହି ନାଟ୍ୟ ସଂସ୍ଥାକୁ ମଝିରେ ମଝିରେ ଆସୁଥିବା ଜଣେ ବୟସ୍କ ନାଟ୍ୟକାରଙ୍କର ନଜରକୁ ଆସିଲେ ସେକ୍ସପିୟର । ନିକମା ସମୟରେ ସେକ୍ସପିୟରଙ୍କୁ କିଛି ନା କିଛି ବହି ଓ ପତ୍ରପତ୍ରିକା ପଢ଼ୁଥିବା ଦେଖି ସେହି ନାଟ୍ୟକାର ଧରିନେଇଥିଲେ ପିଲାଟିର ପଢ଼ାପଢ଼ି ପ୍ରତି ନିବିଡ଼ ରୁଚି ରହିଛି । ସିଏ ଦାୟିତ୍ୱବାନ ଓ ତାକୁ କିଛି କାମ ଦେଲେ ସିଏ ତାହା ନେଇ ଆଣି ଥୋଇଦେବ ।

 

କେବଳ ଘୋଡ଼ାଙ୍କ ଲାଳନପାଳନ ଅବା ପଢ଼ାପଢ଼ି ନୁହେଁ, ଯାତ୍ରା ଓ ନାଟକ ପ୍ରତି ସେକ୍ସପିୟରଙ୍କର ମଧ୍ୟ ଅଭିରୁଚି କିଛି କମ୍‍ ନ ଥିଲା । ଏଥିରେ ମୁଗ୍ଧ ହୋଇ ସେଇ ନାଟ୍ୟକାର ଜଣକ ଏଥର ତାଙ୍କ ସ୍ୱରଚିତ ନାଟକର ପାଣ୍ଡୁଲିପି ପ୍ରସ୍ତୁତି କାମରେ ସେକ୍ସପିୟରଙ୍କୁ ଲଗାଇଲେ । ଏମିତି କିଛିଦିନ ନାଟକ ପାଣ୍ଡୁଲିପି ପ୍ରସ୍ତୁତ କରୁ କରୁ ସେକ୍ସପିୟର ନିଜେ ନାଟକ ଲେଖିବାକୁ ମନ ବଳାଇଲେ । କଥାରେ କୁହନ୍ତି- ଦଇବ ଦଉଡ଼ି, ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ । ଏଇମିତି ପ୍ରୟାସ ଉତ୍ତାରୁ ଏକଦା ସିଏ ଡାଏରୀରେ ସ୍ୱଲିଖିତ ନାଟକର ପାଣ୍ଡୁଲିପିଟିକୁ ନାଟ୍ୟ ସଂସ୍ଥାର ପରିଚାଳକଙ୍କୁ ହଁ ଓ ନାହିଁ ଭିତରେ ସେଦିନ ଦେଖାଇଥିଲେ ।

 

ସତରେ ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ । ସେକ୍ସପିୟରଙ୍କ ଲିଖିତ ସେଇ ପ୍ରଥମ ନାଟକଟିର ପାଣ୍ଠୁଲିପିଟିକୁ ଆମୁଳଚୁଳ ଏକାଧିବାର ପଢ଼ିଲା ଉତ୍ତାରୁ ନିଜକୁ ସମ୍ଭାଳି ନ ପାରି ନାଟ୍ୟ ସଂସ୍ଥାର ପରିଚାଳକ ନିଜେ ସେକ୍ସପିୟରଙ୍କୁ ପାଖକୁ ଡକାଇ ତାହାର ପିଠି ଥାପୁଡ଼ାଇ ବାହା ବାହାବା ସାବାସୀ ଦେଇଥିଲେ । ଏଥର ସେଇ ପ୍ରଥମ ନାଟକ ‘‘ଲଭସ ଲେବରସ ଲଷ୍ଟ’’ ମଞ୍ଚସ୍ଥ ହେଲା ଉତ୍ତାରୁ ଅଗଣିତ ନାଟ୍ୟପ୍ରେମୀ ଦର୍ଶକଙ୍କଦ୍ୱାରା ପ୍ରଶଂସିତ ହୋଇଥିଲା । ଲଗାତାର ଅଧ୍ୟୟନ, ଅଧ୍ୟବସାୟ ଓ ରଚନା ପ୍ରକ୍ରିୟାରେ ନିଜକୁ ଲିପ୍ତ ରଖି କାଳକ୍ରମେ କେବଳ ଇଂରେଜ ସାହିତ୍ୟ ନୁହେଁ ବିଶ୍ୱ ସାହିତ୍ୟ ଇତିହାସରେ ନିଜକୁ ଜଣେ ଶ୍ରେଷ୍ଠ ନାଟ୍ୟକାର, ଦାର୍ଶନିକ ଏବଂ କବିରୂପେ ପ୍ରତିଷ୍ଠିତ କରିପାରିଥିଲେ । ରୋମିଓ ଜୁଲିଏଟ ଏଣ୍ଟନିଓ ଓ କ୍ଲିୟୋପେଟ୍ରା, ଜିଲିଅସ ଲିଜର, ମାର୍ଚେଣ୍ଟ ଅଫ୍‍ ଭେନିସ, ହାମଲେଟ ଓ କିଂ ଲେୟାର ଭଳି କାଳଜୟୀ ଅମର କୃତିପାଇଁ ୧୬୨୬ ମସିହା ଏପ୍ରିଲ ୨୨ ତାରିଖରେ ୫୨ ବର୍ଷ ବୟସରେ ଦେହାନ୍ତ ପରେ ମଧ୍ୟ ସିଏ ଆଜି ବିଶ୍ୱବିସ୍ତୃତ ଅମର ସାରସ୍ୱତ ପୁରୁଷରୂପେ ବିମୂର୍ତ୍ତ ବର୍ତ୍ତମାନର ବିଶ୍ୱରେ । ତିରୋଧାନର ୩୯୩ ବର୍ଷ ତାଙ୍କର ଲୋକପ୍ରିୟତା ଦିନକୁ ଦିନ କ୍ରମଶଃ ବଢ଼ିବାରେ ଲାଗିଛି । ତାଙ୍କ ନାଟକ ଓ ସାରସ୍ୱତ କୃତୀ ବିଶ୍ୱର ବହୁ ପ୍ରମୁଖ ଭାଷାରେ ଅନୁଦିତ ହୋଇ ସମାଦୃତ ହେବାରେ ଲାଗିଛି । ପ୍ରତିବର୍ଷ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବିଲାତ ଆସୁଥିବା ଅଗଣିତ ସାହିତ୍ୟ ଓ ନାଟକପ୍ରେମୀ ଶ୍ରଦ୍ଧାଳୁ ତାଙ୍କ ପୁଣ୍ୟ ଜନ୍ମଭୂମିକୁ ହଜାର ହଜାର ସଂଖ୍ୟାରେ ପରିଦର୍ଶନ କରିଥାଆନ୍ତି । ଏହା ଯେପରି ଏକ ସ୍ମୃତି ତୀର୍ଥ ପାଲଟି ଯାଇଛି ।

 

ବାସ୍ତବରେ ସାଧନା ଭିତରେ ସଫଳତା ଲୁଚି ରହିଥାଏ । କେବଳ ବୁଦ୍ଧି କିମ୍ୱା ସୁଯୋଗ ବଳରେ ନୁହେଁ, ଏକାଗ୍ରତା ଓ ଅଧ୍ୟବସାୟ ବଳରେ ହିଁ ସଫଳତା ହାସଲ କରିହୁଏ । ସତରେ ‘‘ମାନବ ଜୀବନ ନୁହଁଇ କେବଳ ବର୍ଷମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।’’ ପିଲାଏ ସେକ୍ସପିୟର କହିଥିବା ଏଇ ନିଜକଥାଟି କେବେ ଭୁଲିଯିବନି ଏବଂ ମନେ ରଖିଥିବ ଯେ- ‘‘କର୍ମ କରେ ସ୍ୱର୍ଗ, ନରକ ରଚନା, ଭୋଗ ଜାତକର୍ମ କ୍ଷେତ୍ର ।’’

 

ମିସନ ମାର୍ଗଦର୍ଶୀ

୧୯୦, ସୋନାଲିକା ଏନକ୍ଲେଭ

ଲୁଇସ୍‍ ରୋଡ଼

ଭୁବନେଶ୍ୱର

Image

 

ଅବାଟରୁ ବାଟକୁ

କୈଳାସ ଚନ୍ଦ୍ର ପ୍ରଧାନ

 

ଜଗତସିଂହପୁର ଜିଲ୍ଲାର ଏରସମା ଥାନାର ଗଡ଼ହରିଶପୁର ବୋଲି ଏକ ଛୋଟ ଗାଁ । ସେହି ଗାଁଟି ସମୁଦ୍ରକୂଳଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଗାଁର ଚାରିପଟେ ଝାଉଁ ବଣ ଓ ନଈନାଳରେ ପୂର୍ଣ୍ଣ । ସେହି ଗଡ଼ହରିଶପୁର ଗାଁ’ର ଲୋକମାନେ ସାଧାରଣତଃ ଡଙ୍ଗା ଓ ଜାଲ ସାହାଯ୍ୟରେ ମାଛ ଧରି ଜୀବନଧାରଣ କରିଥାନ୍ତି ଏବଂ ଯେଉଁ ଲୋକମାନଙ୍କର ବିଶେଷ ସୁବିଧା ନାହିଁ, ସେମାନେ ପାଖ ଜଙ୍ଗଲରୁ କାଠ ହାଣି ବାହାରେ ବିକି ନିଜର ଗୁଜୁରାଣ ମେଣ୍ଟାଇ ଥା’ନ୍ତି । ଦେଖାଗଲା ଧୀରେ ଧୀରେ ସେହି ଝାଉଁ ବଣ ସବୁ ସରିବାକୁ ବସିଲାଣି ।

 

ସେହି ଗାଁ ସ୍କୁଲକୁ ଜଣେ ନୂଆ ଶିକ୍ଷକ ବସନ୍ତ ସ୍ୱାଇଁ ବୋଲି ବଦଳି ହୋଇଆସିଥାନ୍ତି । ଜଣେ ଭଲ ଶିକ୍ଷକ ହିସାବରେ ତାଙ୍କର ନାଁ ରହିଛି । ସେ ପିଲାମାନଙ୍କୁ ସ୍ନେହ କରନ୍ତି ଓ ଭଲ ପାଠ ମଧ୍ୟ ପଢ଼ାନ୍ତି । ସେ ଯେଉଁଦିନ ପ୍ରଥମେ ସ୍କୁଲକୁ ଆସିଲେ ପ୍ରଥମେ ପଞ୍ଚମ ଶ୍ରେଣୀରେ ପାଠପଢ଼ା ଆରମ୍ଭ କଲେ । ସେ ସେଦିନ ପିଲାମାନଙ୍କୁ ପରିବେଶ ଓ ପରିବେଷ୍ଟନୀ ବିଷୟରେ ପଢ଼ାଇଲେ । ପରିବେଶ କ’ଣ ? ଏବଂ ତା’ର ଉପକାରିତା ବିଷୟରେ ଅତି ପ୍ରାଞ୍ଜଳ ଭାବରେ ପିଲାମାନଙ୍କୁ ପଢ଼ାଉଥା’ନ୍ତି । ପିଲାମାନେ ସବୁ ଆଗ୍ରହ ସହକାରେ ଶୁଣୁଥା’ନ୍ତି । ପିଲାମାନେ ମଧ୍ୟ ସେ ବିଷୟରେ ଅନେକ ପ୍ରଶ୍ନ ଶିକ୍ଷକଙ୍କୁ ପଚାରୁଥା’ନ୍ତି ।

 

ଶେଷରେ ପିଲାମାନେ କହିଲେ ‘‘ଗଛ ବଞ୍ଚିଲେ ଆମେ ବଞ୍ଚିବା, ଆମେ ବଞ୍ଚିଲେ ଗଛ ବଞ୍ଚିବ । ଆମେ ଯାହା ନିଃଶ୍ୱାସରେ ଛାଡ଼ୁ ଗଛ ତାହା ଗ୍ରହଣ କରେ ଏବଂ ଗଛ ଯାହା ଛାଡ଼େ ଆମେ ତାହା ଗ୍ରହଣ କରୁ । ସେହି ସମୁଦ୍ରକୂଳରେ ଗଛ ରହିଲେ, ଜଙ୍ଗଲ ରହିଲେ ଆମ ଅଞ୍ଚଳରେ ନିୟମିତ ବର୍ଷା ହେବ । ତାହା ସାଥେ ସାଥେ ସମୁଦ୍ରରେ ଯେଉଁ ଝଡ଼ ସୃଷ୍ଟି ହେବ ଓ ଯେଉଁ ବାତ୍ୟା ହେବ ତହାକୁ ଏହି ଜଙ୍ଗଲ ବାଧା ଦେବ । ଏଣୁ ଏ ଅଞ୍ଚଳର ମୃର୍ତ୍ତିକା କ୍ଷୟ ମଧ୍ୟ ହେବ ନାହିଁ ।’’

 

ତା’ପରେ ସ୍କୁଲ ଛୁଟି ହେବା ସମୟ ହୋଇଯିବାର ଘଣ୍ଟା ବାଜିଲା । ପିଲାମାନେ ସମସ୍ତେ ଘରକୁ ବାହାରିଲେ । ପଞ୍ଚମ ଶ୍ରେଣୀର ଜଣେ ମେଧାବୀ ଛାତ୍ର, ନାମ ତା’ର ହରି ସେଠୀ । ସେ ମଧ୍ୟ ପିଲାମାନଙ୍କ ସଙ୍ଗରେ ଚାଲିଥାଏ । ପିଲାମାନେ ବାଟରେ ଗଲାବେଳେ ବହୁତ ହସ କଥାବାର୍ତ୍ତା ହୋଇ ଯାଉଥାନ୍ତି । କିନ୍ତୁ ହରି ମନରେ ଆଦୌ ସରାଗ ନ ଥାଏ । ସେ ବସନ୍ତ ସାର୍‍ଙ୍କଠାରୁ ପରିବେଶ ଉପରେ ପାଠପଢ଼ା ଶୁଣିବା ପରେ ତା’ ମନ ମଉଳି ଯାଇଥାଏ । କାରଣ ହରି ଜଣେ ଭଲ ଛାତ୍ର । କିନ୍ତୁ ସେ ଅତି ଗରିବ । ତା’ ବାପା ପ୍ରତିଦିନ ସରକାରଙ୍କ ତରଫରୁ ଯେଉଁ ଝାଉଁ ଜଙ୍ଗଲ କରାଯାଇଛି, ସେଠାରୁ କାଠ ହାଣି ଯାହା କିଛି ପଇସା ଆଣନ୍ତି ତାଙ୍କର ପରିବାର ଅତି ଦୁଃଖ କଷ୍ଟରେ ଚଳିଯାଏ । ତେଣୁ ହରି ମନରେ ବହୁତ କଷ୍ଟ । ବାପା ତା’ର ଜଙ୍ଗଲରୁ କାଠ କାଟି ନେଉଛନ୍ତି । ଯାହା ଫଳରେ ଜଙ୍ଗଲ ଧୀରେ ଧୀରେ ଲୋପ ପାଇଯିବ । ଆମ ଅଞ୍ଚଳରେ ଆଉ ନିୟମିତ ବର୍ଷା ହେବ ନାହିଁ । ବାତ୍ୟା ହେବ ଯାହାଫଳରେ ଲୋକମାନେ ହଇରାଣ ହେବେ ।

 

ତା'ପରେ ସେ ଘରକୁ ଗଲା । ସେ କିଛି ନ ଖାଇ ନ ପିଇ ଶୋଇ ରହିଲା । ତା’ ପରଦିନ ସକାଳୁ ଉଠି ଦେଖିଲା, ବାପା ତା’ର ଅତି ସକାଳୁ ଉଠି କିଛି ଜଳଖିଆ ଖାଇ କାନ୍ଧରେ କୁରାଢ଼ି ପକାଇ କାଠ ହାଣିବାକୁ ବାହାରିଲେ । ସେତେବେଳେ ହରିର ଆଖିରେ ଲୁହ ଆସିଗଲା । ସେ ହରି ପାଖକୁ ଆସି ସ୍ନେହରେ କୋଳେଇ ନେଇ କହିଲେ-

 

- ‘‘ହରିରେ, ତୋ’ର କ’ଣ ହେଲା ? କ’ଣ ଆଜି ସ୍କୁଲକୁ ଯିବୁନି ବୋଲି କାନ୍ଦୁଛୁ ?’’

 

- ନା ।

 

- ଆଉ ତୋ’ର କ’ଣ ହୋଇଛି ?

 

ହରି ତା’ର ବାପାର ଅଣ୍ଟାକୁ ଧରି ବାପା ଦେହରେ ମୁଣ୍ଡ ରଖି କହିଲା- ‘‘ବାପା ! ତୁମେ ଆଉ ଜଙ୍ଗଲରୁ କାଠ କାଟନା । ଜଙ୍ଗଲ ସରିଗଲେ ଆମ ଅଞ୍ଚଳରେ ନିୟମିତ ବର୍ଷା ହେବନି । ଝଡ଼ ହେବ । ଲୋକମାନେ ସବୁ ବହୁତ ହଇରାଣ ହେବେ । କାଲି ଆମ ସ୍କୁଲକୁ ଯେଉଁ ନୂଆ ସାର୍‍ ଆସିଛନ୍ତି ସେ ଏହିକଥା କହୁଥିଲେ । ବାପା ତୁମେ ଆଉ ଜଙ୍ଗଲକୁ କାଠ କାଟିବାକୁ ଯାଅନା ।’’

 

ହରିର ବାପା କହିଲେ- ‘‘ଆମେ ଗରିବ ଲୋକ । ଆମର ତ ବିଲବାଡ଼ି କିଛି ନାହିଁ । ଡଙ୍ଗା ଓ ଜାଲ ମଧ୍ୟ ନାହିଁ । ତେଣୁ ଆମେ ବଞ୍ଚିବା କେମିତି କହ ।’’ ହରି ଆଉ ବାପାଙ୍କୁ କିଛି କହିପାରିଲା ନାହିଁ । ବାପା ତା’ର ଜଙ୍ଗଲକୁ କାଠ ହାଣିବାକୁ ଚାଲିଗଲେ । କିନ୍ତୁ ସେଦିନ ହରି ସ୍କୁଲକୁ ଗଲା ନାହିଁ । ଘରେ ରହିଲା ।

 

ଦିନ ଦଶଟା ବେଳକୁ ଏରସମା ବ୍ଲକରୁ ଜଣେ ଗ୍ରାମସେବକ ଦାସବାବୁ ଆସି ଗାଁରେ ସମସ୍ତ ଲୋକମାନଙ୍କୁ ଡାକି ସରକାରଙ୍କର ଦରିଦ୍ର ନିରାକରଣ କାର୍ଯ୍ୟକ୍ରମ ସମ୍ୱନ୍ଧରେ ବୁଝାଉ ଥାଆନ୍ତି । ଗରିବ ଲୋକମାନେ ସରକାରଙ୍କଠାରୁ କିପରି ସାହାଯ୍ୟ ପାଇପାରିବେ, ସେ ସବୁ ଲୋକମାନଙ୍କୁ ବୁଝାଉଥିବାବେଳେ ସେତିକିବେଳେ ଗାଁ ଦାଣ୍ଡରେ ହରି ଯାଉଥିଲା । ସେ ସେଠାରେ ଛିଡ଼ା ହୋଇ ଗ୍ରାମସେବକଙ୍କଠାରୁ ସବୁକଥା ଶୁଣିଲା । ତା’ପରେ ଅତି ନିର୍ଭୟରେ ସେ ଗ୍ରାମସେବକଙ୍କୁ କହିଲା, ‘‘ସାର୍‍ ! ଆପଣ ମୋ ବାପାଙ୍କୁ ଗୋଟେ ଡଙ୍ଗା ଓ ଜାଲ ଋଣ କରାଇ ଦିଅନ୍ତୁ । ଆମର ବିଶେଷ ଜମିବାଡ଼ି ନାହିଁ । ମୋ ବାପା ପ୍ରତିଦିନ ଜଙ୍ଗଲରୁ କାଠ କାଟି ବିକ୍ରି କରି ଆମକୁ ଚଳାନ୍ତି । ଜଙ୍ଗଲ ସରିଗଲେ ଆମ ଅଞ୍ଚଳରେ ନିୟମିତ ବର୍ଷା ହେବନି । ଯାହାଫଳରେ ପରିବେଶ ନଷ୍ଟ ହେବ । ପରିବେଶ ନଷ୍ଟ ହେଲେ ମଣିଷ ସମାଜ ଲୋପ ପାଇଯିବ ବୋଲି ଆମ ନୂଆ ସାର୍‍ କହୁଥିଲେ ।’’

 

ଗ୍ରାମସେବକ ହରିର କଥା ଶୁଣି ବହୁତ ଖୁସି ହୋଇଗଲେ । ହରି ସାଥିରେ ଦାସବାବୁ ତାଙ୍କ ଘରକୁ ଗଲେ ଓ ତା’ ବାପାଙ୍କଠାରୁ ଫରମ ପୂରଣ କରିନେଇ ବ୍ଲକକୁ ଗଲେ ।

 

ଗଡ଼ହରିଶପୁରର ଛୋଟ ପିଲା ହରିର ସମସ୍ତ କଥା ବି.ଡ଼ି.ଓ. ମହାଶୟଙ୍କୁ କହିଲେ । ବି.ଡ଼ି.ଓ. ମହାଶୟ ବହୁତ ଖୁସି ହୋଇ ହରି ବାପାଙ୍କ ନାମରେ ଦଶ ହଜାର ଟଙ୍କା ଋଣ କରି ଗୋଟିଏ ଡଙ୍ଗା ଓ ଜାଲ କିଣି ଦେବାର ସୁବିଧା କରିଦେଲେ ।

 

ଯାହାଫଳରେ ହରି ବାପା ଆଉ ଜଙ୍ଗଲରୁ କାଠ ନ କାଟି ନଈରୁ ମାଛ ଧରି ତାଙ୍କର ଜୀବିକା ନିର୍ବାହ କଲେ । ଫଳରେ ହରି ବାପାଙ୍କର ଆର୍ଥିକ ଅବସ୍ଥା ଧୀରେ ଧୀରେ ଭଲ ହୋଇଗଲା । ଏହିକଥା ନେଇ ଏରସମା ବ୍ଲକ ସାରା ହରିର ପ୍ରଶଂସା କରାଗଲା । ଶିଶୁଦିବସ ଦିନ ବ୍ଲକର ବି.ଡ଼ି.ଓ. ମହାଶୟ, ମନ୍ତ୍ରୀ ଓ ବଡ଼ ବଡ଼ ସରକାରୀ ଅଫିସରମାନଙ୍କୁ ନେଇ ସଭା ହେଲା । ବ୍ଲକର ସବୁ ଅଞ୍ଚଳରୁ ସ୍କୁଲର ପିଲାମାନେ ଆସିଲେ । ବି.ଡ଼ି.ଓ. ମଧ୍ୟ ହରିକୁ ଡକାଇଥିଲେ । ସେହି ସଭାରେ ବି.ଡ଼ି.ଓ. ଶ୍ରୀଯୁକ୍ତ ଜେନାବାବୁ ହରିର ପରିବେଶ ସଚେତନ କଥା କହି ସଭାରେ ସମସ୍ତ ପିଲା ଓ ଲୋକମାନଙ୍କୁ ଅବଗତ କଲେ । ତା’ପରେ ମନ୍ତ୍ରୀ ମହାଶୟ ହରିକୁ ପ୍ରଶଂସା କରି ସଭା ମଧ୍ୟରେ ପୁରସ୍କୃତ କଲେ ଏବଂ ଅନ୍ୟ ପିଲାମାନଙ୍କୁ କହିଲେ, ‘‘ଯେଉଁ ପିଲାମାନେ ହରି ପରି ପ୍ରଶଂସାଜନକ କାର୍ଯ୍ୟ କରିବେ, ସେମାନଙ୍କୁ ମଧ୍ୟ ଆରବର୍ଷ ଶିଶୁଦିବସକୁ ପୁରସ୍କାର ପ୍ରଦାନ କରାଯିବ ।’’

 

ପଏଦା

ତିରଣ

ଜଗତସିଂହପୁର- ୭୫୪୧୩୮

Image

 

ଅହିଂସାର ଜନକ ବାପୁଜୀ

ଶ୍ରୀ ପ୍ରାଣକୃଷ୍ଣ ପରିଡ଼ା

 

ହେ ପୂଜ୍ୟ ବାପୁଜୀ ! ମହାମାନବ

 

ତୁମ ପରି ହେବ କିଏ ?

ଜାତିର ଜନକ ଭାରତମାତାର

 

ସୁଯୋଗ୍ୟ ସନ୍ତାନ ସିଏ ।

 

ଫିରିଙ୍ଗି ଶାସନ ଟଳମଳ ହେଲା

 

ତୁମରି ଅହିଂସା ବଳେ

ଭାରତମାତାକୁ ସ୍ୱାଧୀନ କଲ ହେ

 

କଳେବଳେ କଉଶଳେ ।

 

ଏ ଦେଶ ଏ ଜାତି ବୁଝିଲା ନାହିଁ ତ

 

ତବ ମହା-ଅବଦାନ

ନାଥୁରାମ ଗଡ଼ସେ ଗୁଳିବିଦ୍ଧ କରି

 

ନେଇଥିଲା ତବ ପ୍ରାଣ ।

 

ତୁମ୍ଭେ ଅମର ଚିର ଅମର

 

ତୁମରି କର୍ମ ବଳେ

ଏ ଦେଶ ଏ ଜାତି ପ୍ରଣାମ କରୁଛି

 

ତୁମରି ପାଦ ତଳେ ।

 

ଅବସରପ୍ରାପ୍ତ ଶିକ୍ଷକ

ଡିହସାହି

ତିରଣ

ଜଗତସିଂହପୁର

Image

 

ଲମ୍ୱୁ ପାଣ୍ଡେ ଓ ତାଙ୍କ ରଙ୍ଗବାଡ଼ି

ଇଂ ସତ୍ୟବ୍ରତ ରଥ

 

ଲମ୍ୱୁ ପାଣ୍ଡେ ଭାରି ନଜବଜିଆ ଲୋକ । ତାଙ୍କ ପୂରା ନାଆଁ ଲମ୍ୱୋଦର ପାଣ୍ଡେ । କେତେଲୋକ ତାଙ୍କୁ ଲମ୍ୱୁ ଗୋସେଇଁ ବୋଲି ବି ଡାକୁଥିଲେ । ତାଙ୍କର ଚାଖଣ୍ଡେ ଲମ୍ୱର ଚୁଟି । ଧଳା ପାଇଜାମା, ଫତେଇ କୁରୁତା ପିନ୍ଧି ବାଆଁ ଦାଣ୍ଡରେ ଯିବା ଆସିବା କରନ୍ତି । କାନ୍ଧରେ ଖଣ୍ଡେ ପଶାପାଲିଆ ନାଲି ଗାମୁଛା ଓ ହାତରେ ଖଣ୍ଡେ ରଙ୍ଗବାଡ଼ି ଥାଏ । ଏଇ ରଙ୍ଗବାଡ଼ିଟି କେତେବର୍ଷ ତଳେ ମକର ଯାତ୍ରାରୁ ଆଣିଥିଲେ । ଶାନ୍ତ, ଶିଷ୍ଟ, କର୍ମଚଞ୍ଚଳ ମଣିଷ ଥିଲେ ଲମ୍ୱୁ ପାଣ୍ଡେ । କଥାରେ କଥାରେ ଥଟ୍ଟା, ପରିହାସ, ଢଗ ଢମାଳି ଭରି ରହିଥାଏ ।

 

ଗୋସେଇଁଙ୍କ ବାଆଁ ଗୋଡ଼ଟା ଟିକିଏ ଛୋଟା । ତେଣୁ ସେ ସବୁବେଳେ ବାଡ଼ି ଖଣ୍ଡେ ଧରିଥାଆନ୍ତି । ଲୋକଙ୍କୁ ସେ କୁହନ୍ତି, ‘‘ଏଇ ରଙ୍ଗବାଡ଼ି ଖଣ୍ଡକ ହେଉଛି ଜ୍ଞାନ ଦାସ । ବାଡ଼ି ଖଣ୍ଡିକ ପାଖରେ ଥିଲେ ତାଙ୍କର ବୁଦ୍ଧି ଆପେ ଆପେ ଉଦୟ ହୁଏ । ଆଗକୁ ଆଗକୁ ତାଙ୍କୁ ବାଟ ଦିଶେ ।’’ ଘରକୁ ଫେରିଲେ ବାଡ଼ି ଖଣ୍ଡକ ଧୋଇ ପୋଛି ଘର କଣରେ ସାଇତି ରଖନ୍ତି ।

 

ଗୋସେଇଁ ଭାରି ଦୟାଳୁ ଆଉ ପରୋପକାରୀ ମଣିଷ । ତାଙ୍କ ଦୁଆରୁ ଦୁଃଖି, ଭିକାରୀ କେବେ ଖାଲି ହାତରେ ଫେରି ଯାଆନ୍ତି ନାହିଁ । ପୁରାଣ, ଭାଗବତରୁ ବେଶ୍‍ କେତେପଦ ତାଙ୍କର ମନେଥାଏ । ନିଜ ଗାଆଁ ଭୂଇଁଙ୍କୁ ସେ ଖୁବ୍‍ ଭଲପାଆନ୍ତି । ଏଣ୍ଡୁଅ ଦଉଡ଼ି ଦଉଡ଼ି ସିଝୁ ବୁଦାକୁ ଭଳି ସେ ବର୍ଷକୁ ଥରେ ଦି’ଥର ଶଶୁର ଘରକୁ ଯାଆନ୍ତି । ସେଠାରେ ରାତିଏ ଦି’ରାତିରୁ ଅଧିକ ରହିପାରନ୍ତି ନାହିଁ । କେବେ କେହି ତାଙ୍କ ଗାଆଁକୁ ନିନ୍ଦା କରି କହିଲେ ସେ ତା’ର ସାତପୁରୁଷ ଉଦ୍ଧାର କରିଦିଅନ୍ତି । ଗାଆଁ ଦେଉଳରେ କାହାର ମାନସିକ ଭୋଗ ବସିଲେ ଲମ୍ୱୁ ଗୋସେଇଁ ରୋଷେଇଆ । ଆଖପାଖ ଗାଆଁମାନଙ୍କରେ କେଉଁଠି ଅଷ୍ଟମପ୍ରହରୀ, ସଂକୀର୍ତ୍ତନ ହେଲେ ଗୋସେଇଁଙ୍କୁ ଡାକରା ଆସେ । ତାଙ୍କର ପୈତୃକ ଚାଷ ଜମି ଦି’ ମାଣେ । ସେ ତାକୁ ଭାଗଚାଷୀଙ୍କୁ ଦେଇଛନ୍ତି । କୌଣସିମତେ ସେ ଚଳିଯାଆନ୍ତି । ମୁହଁରେ କେବେ ଦୁଃଖର ଚିହ୍ନ ନ ଥାଏ । କୌତୁକିଆ ଢଙ୍ଗରେ କଥା କହି ସେ ଅନ୍ୟମାନଙ୍କୁ ହସାଇ ହସାଇ ବେଦମ୍‍ କରିଦିଅନ୍ତି । ତାଙ୍କ ଚେହେରା, କୌତୁକିଆ ପୋଷାକ ଓ ଆଲୁରୁ ବାଲୁରୁ କଥାବାର୍ତ୍ତାରୁ ବାହାର ଲୋକ ତାଙ୍କୁ ଆଡ଼ବାୟା ବୋଲି ଭାବିପାରେ, କିନ୍ତୁ ଲମ୍ୱୁ ପାଣ୍ଡେ ଆଡ଼ବାୟା ନୁହନ୍ତି, ସେ ଭାରୀ ଦରଦୀ ଆଉ ସେବା ମନୋବୃତ୍ତିର ମଣିଷ ।

 

ତାଙ୍କ ଗାଆଁଠୁ ଅଳ୍ପ ଦୂରରେ ନଈ । ବର୍ଷେ ବନ୍ୟାପାଣି ଗାଆଁ ଗହିରକୁ ମାଡ଼ି ଆସିଥିଲା-। ବନ୍ୟାପାଣି ସାତ ଦିନରୁ ଅଧିକ ରହିବାରୁ ଫସଲ ସବୁ ନଷ୍ଟ ହୋଇଗଲା । ଲୋକେ ମୁଣ୍ଡରେ ହାତ ଦେଇ ବସିଲେ । ଗାଆଁଟି ପାଣି ଘେରରେ ରହିଥିବାରୁ ସରକାରୀ ଓ ବେସରକାରୀ ରିଲିଫ୍‍ ଆସିଥିଲା । ରିଲିଫ୍‍ ବଣ୍ଟନରେ ଲମ୍ୱୁ ପାଣ୍ଡେ ଥିଲେ ମୁଖ୍ୟ ସାହାଯ୍ୟକାରୀ ।

 

ଅଳ୍ପଦିନ ପରେ କେତେଜଣ ସରକାରୀ କର୍ମଚାରୀ କ୍ଷୟକ୍ଷତି ସମ୍ପର୍କରେ ଜାଣିବାକୁ ସେଇ ଗାଆଁକୁ ଆସିଲେ । ଗାଆଁର କେତେଜଣ ଲୋକଙ୍କୁ ସେମାନେ ପାଖକୁ ଡାକିଲେ । ଲମ୍ୱୁ ପାଣ୍ଡେ ବି ଆସି ହାଜର ହୋଇଗଲେ ।

 

ଜଣେ ବାବୁ ପଚାରିଲେ- ‘‘ଏଇ ଗାଆଁ ନାଆଁ କ’ଣ ?’’

 

ଲମ୍ୱୁ ପାଣ୍ଡେ ରଙ୍ଗବାଡ଼ି ଖଣ୍ଡକ ଧରି ଠିଆହୋଇ କହିଲେ- ‘‘ଆଜ୍ଞା ଆପଣେ ! ଏଇ ଗାଆଁ ନାଆଁ ନହରଣପୁର । ଆମ ଗାଆଁରେ ଚଉରାଅଶି ପରିବାର ଅଛନ୍ତି ।’’

 

ଆଉ ଜଣେ ବାବୁ ପଚାରିଲେ- ‘‘ଆମେ ଆସିବାବେଳେ ଗୋଟେ ଘରକାନ୍ଥରେ ଲେଖା ହୋଇଥିଲା ଜବାହାର ଯୁବକ ସଂଘ, ନରଣପୁର । ତମେ ତ ତାହା କହୁନାହଁ ?’’

 

ଲମ୍ୱୁ ପାଣ୍ଡେ କହିଲେ- ‘‘ଆଜ୍ଞା, ଆମେ ନିପଟ ଗାଉଁଲି ଲୋକ । ପାଠପଢ଼ା ଅପର ପ୍ରାଇମେରୀ ଅଧିକ ନୁହେଁ । ଧରି ମାଇଲେ ଯାହା, ବାନ୍ଧି ମାଇଲେ ତାହା । ଆମେ ନହରଣପୁର ବୋଲି କହୁଛୁ, ସେଇଟା ଠିକ୍‍ । ଆପଣ ନରଣପୁର ବୋଲି ପଢ଼ିଛନ୍ତି, ସେଇଟା ବି ଠିକ୍‍ ।’’

 

ପ୍ରଥମ ବାବୁ ଜଣକ ପଚାରିଲେ- ‘‘ତମ ଗାଆଁରେ କେତେ ଜମିରେ ଫସଲ ନଷ୍ଟ ହୋଇଯାଇଛି ?’’

 

ଲମ୍ୱୁ ପାଣ୍ଡେ ମଣ୍ଡପ ଉପରେ ବସିପଡ଼ିଲେ । କହିଲେ- ‘‘ବାବୁ ଆପଣେ ! ନଥିପତ୍ର ସବୁ ଆପଣଙ୍କ ପାଖରେ । ହେଲେ ଆମ ଗାଆଁରେ ଚଉରାଅଶି ପରିବାର, ଚାଷଜମି ଚାରିଶହ ଚଉରାଅଶି ମାଣ । ଗାଆଁ ସେ ମୁଣ୍ଡରୁ ପ୍ରଥମେ ଅର୍ଜୁନ ରଣାର ବାଇଶି ଗୁଣ୍ଠ, ତା’ପରେ ପରୀକ୍ଷିତ ଦାସଙ୍କର ଦୁଇମାଣ ବାର ଗୁଣ୍ଠ, ତା’ପରେ ଲମ୍ୱୋଦର ପାଣ୍ଡେଙ୍କ ଦୁଇମାଣ ଦୁଇ ଗୁଣ୍ଠ, ..... ।’’ ଜଣ ଜଣ କରି ସବୁ ଚାଷୀଙ୍କର ଜମିର ପରିମାଣ ଲମ୍ୱୁ ପାଣ୍ଡେ କହିସାରି କହିଲେ- ‘‘ଆଜ୍ଞା, ଦେଖୁଛନ୍ତି କାଠ, ପୋଛୁଛନ୍ତି ଚନ୍ଦନ । ଜଳଗର୍ଭରେ ସବୁ ଫସଲ ନଷ୍ଟ । ଯଦି ବିଶ୍ୱାସ ପାଉନି, ଚାଲନ୍ତୁ ଘେରାଏ ବୁଲିଆସିବା । ମୁଁ ଗୋଟି ଗୋଟି କିଆରୀ ଆପଣଙ୍କୁ ଦେଖାଇ ଦେବି ।’’

 

ବାବୁ ଜଣକ ଲମ୍ୱୁ ପାଣ୍ଡେଙ୍କ ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁଲେ । ହାତଯୋଡ଼ି କହିଲେ- ‘‘ମହାଶୟ, ମୋ ଜୀବନରେ ମୁଁ ଆପଣଙ୍କ ଭଳି ଜଣେ ଲୋକ ଦେଖିନାହିଁ । ଯାହା ତୁଣ୍ଡରେ ଏତେ ବଡ଼ ଗାଆଁର ଖବର ଅଛି ।’’

 

ଲମ୍ୱୁ ପାଣ୍ଡେ ଏକ ଅସାଧାରଣ ବ୍ୟକ୍ତି ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ହଠାତ୍‍ ବେମାର ପଡ଼ି ସେ ଚାଲିଗଲେ । ସାରା ଗାଆଁ ଲୋକ ତାଙ୍କପାଇଁ ଲୁହ ଗଡ଼ାଇ କାନ୍ଦିଲେ । ତାଙ୍କ ରଙ୍ଗବାଡ଼ିଟିକୁ ନେଇ ଗାଆଁ ଭାଗବତ ଟୁଙ୍ଗୀରେ ସାଇତି ରଖିଥିଲେ ।

 

କଲେଜ ରୋଡ଼

ବାଙ୍କୀ

କଟକ

Image